ଶିଶୁ ସଂଗ୍ରାହକ ଶ୍ରୀନିବାସ

ଦେଶ ବିଦେଶର ନୋଟ, ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ କୁମାର୍ ଶ୍ରୀନିବାସ ବିଭିନ୍ନ ଦେଶବିଦେଶର ନୋଟ୍ ଓ ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ। ସେ ତୄତୀୟ ଶ୍ରେଣୀରେ ପଢୁଥିବାବେଳେ କତାର୍ ଦେଶରେ ରହୁଥିବା ନିଜ ଗ୍ରାମ କୁରାଳ ପଞ୍ଚାୟତ ଅଧୀନ ପାଇକ ପନ୍ତିଖାରୀର ଜନୈକ ବାସିନ୍ଦା ରଞ୍ଜନ କୁମାର ଦାଶ ତାଙ୍କ ପିତାଙ୍କୁ ଉକ୍ତ ଦେଶର କିଛି ମୁଦ୍ରା ଦେଇଥିଲେ। ଏହି ମୁଦ୍ରାକୁ ଦେଖି ଅନୁପ୍ରାଣିତ ହୋଇ କୁନି ବାଳକ ଶ୍ରୀନିବାସଙ୍କ ମନରେ ଜାଗି ଉଠିଥିଲା ଦେଶବିଦେଶର ମୁଦ୍ରା ସଂଗ୍ରହ କରିବାର ନିଶା। ଏବେ ଦୀର୍ଘ ସାତବର୍ଷ ପରେ ସେ ତାଙ୍କ ମାଆ ଜୟଶ୍ରୀ ନାୟକ ନିଜ ପାଖରେ ସାଇତି ରଖିଥିବା ଆମ ଦେଶର ବହୁପୁରୁଣା ନୋଟ୍, ମୁଦ୍ରା ଓ ପଇସାକୁ ମିଶାଇ ପରବର୍ତ୍ତୀ ସମୟରେ ନିଜ ଚେଷ୍ଟାରେ ଆମେରିକା, ସିରିଆ, କତାର୍, ନେପାଳ, ସାଉଦିଆରବ, ବାଂଲାଦେଶ ଓ ଇଜିପ୍ଟ ଆଦି ଅଠରଟି ଦେଶବିଦେଶର ପ୍ରାୟ ଏକଶହ ପଚାଶରୁ ଉର୍ଦ୍ଧ୍ବ ନୋଟ୍ ଓ ମୁଦ୍ରାଗୁଡିକୁ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଛନ୍ତି। ପୁଅର ଏହି ବିରଳ ସଫଳତା ପାଇଁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଥିବା ସହ ମୁଦ୍ରାଗୁଡିକୁ ଦେଖିବା ପାଇଁ ଘରକୁ ଅନେକ ଲୋକ ଆସୁଥିବା ବେଳେ ତାଙ୍କର ବାପା ତଥା ସ୍ଥାନୀୟ ଶ୍ରୀକ୍ଷେତ୍ର ଷ୍ଟୁଡିଓର ମାଲିକ ସୁବାସ ଚନ୍ଦ୍ର ନାୟକ ନିଜର ଖୁସି ବ୍ୟକ୍ତ କରି ପୁଅ ପାଇଁ ଏକ ଛୋଟ ସଂଗ୍ରହାଳୟ ଖୋଲିବାକୁ ମନସ୍ଥ କରିଛନ୍ତି। ମୁଦ୍ରା ସଂଗ୍ରହ ବ୍ୟତୀତ ବ୍ୟାଡମିଣ୍ଟନ ଓ ଚେସ୍ ଖେଳରେ ରୁଚି ରଖୁଥିବା ଶ୍ରୀନିବାସ ଆଗକୁ ସମସ୍ତ ଦୁଇ ଶହ ତେରଟି ଦେଶର ମୁଦ୍ରା ସମେତ ଆହୁରି ବିଭିନ୍ନ ଦର୍ଶନୀୟ ଜିନିଷ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ତରଫରୁ ପୁରସ୍କାର, ସମ୍ବର୍ଦ୍ଧନା ଆଦି ଦିଆଗଲେ ତାହା ଏକ ପ୍ରୋତ୍ସାହନ ଭାବେ ଶ୍ରୀନିବାସଙ୍କ କାର୍ଯ୍ୟକୁ ଦ୍ୱିଗୁଣିତ କରିପାରନ୍ତା ବୋଲି ତାଙ୍କୁ ଏଥିପାଇଁ ମାର୍ଗଦର୍ଶନ କରୁଥିବା ଶିକ୍ଷକ ପ୍ରଦୋଷ କୁମାର ରାଉତ କହିଛନ୍ତି।

Related posts