ଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ଅବସରରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସଂକଳ୍ପ ନେଲେ ଛାତ୍ରଛାତ୍ରୀ

ଓଡଗାଁ,(ନୟାଗଡ ଦର୍ପଣ): ଅକ୍ଟୋବର ୨ ରୁ ୮ ତାରିଖ ଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ପାଳିତ ହୋଇଆସୁଛି। ଏହି ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ତରଫରୁ ବନ୍ୟଜନ୍ତୁ ସଂରକ୍ଷଣ ସଚେତନତା ଶିବିର ବଡ଼ଗୋରଡ଼ା କୁବେର ଲୋକନାଥ ଉଚ୍ଚ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀଣି ଅର୍ଚ୍ଚନା ଗମାଙ୍ଗୋ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବନ୍ୟଜନ୍ତୁ ଶିକାର ଦିଗରେ ସଭିଙ୍କ ସହଯୋଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପ୍ତ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନୁଭୁତି ବାଣ୍ଟିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରକୃତି ପ୍ରେମୀ ସତ୍ୟବାଦୀ ସ୍ବାଇଁ ଜଙ୍ଗଲ, ପଶୁପକ୍ଷୀଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବଣ୍ଟନ କରାଯାଇଥିଲା । ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁ ସମ୍ପର୍କିତ କୁଇଜ୍ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜ ଅଞ୍ଚଳର ଅବାଧ ବନ୍ୟଜନ୍ତୁ ଶିକାର ଦମନ କରିବା ସହିତ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଶପଥ ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର୍ ରଥ ଉପସ୍ଥିତ ଥିବାବେଳେ ସଂଗଠନ ଆବାହକ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସମେତ ଯୁବ ପରିବେଶ କର୍ମୀ ସୌମ୍ୟ ରଞ୍ଜନ ବିଶ୍ଵାଳ, ସୁମନ ପ୍ରଧାନ, ସୁଶାନ୍ତ ପରିଡ଼ା ପ୍ରମୁଖ ଏହିକାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts