ଗଣିଆରେ ‘ମୋ ସ୍କୁଲ ଅଭିଯାନ’ର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ‘ମୋ ସ୍କୁଲ ଅଭିଯାନ’ର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ, ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମିକୁ କେମିତି ସୁଦୃଢ଼ କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ। ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଠ ପଢ଼ିବା ସହିତ କ୍ରୀଡ଼ା, ସଙ୍ଗୀତ ଓ ଅନ୍ୟାନ୍ୟ ଆତ୍ମିକ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା, ବୌଦ୍ଧିକ ବିକାଶ, ମାର୍ଗ ଦର୍ଶନ, ଭିତ୍ତିଭୂମିର ବିକାଶ ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ପୂର୍ଣ୍ଣମାତ୍ରାରେ ସହଯୋଗର ଆବଶ୍ୟକ ବୋଲି କହିଥିଲେ । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର ଆଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଉକ୍ତ କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି।

ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେଵ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦସଭ୍ୟ ମହେଶ୍ୱର ମହାରଣା, ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ, ପୂର୍ବତନ ଛାତ୍ର ତଥା ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଯୋଗଦେଇ ‘ମୋ ସ୍କୁଲ ଅଭିଯାନ’ର ଲକ୍ଷ୍ୟ ସଂପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟର କ୍ଲାସ ରୁମ ପାଇଁ ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଦୁଇଟି କ୍ଲାସ ରୁମ ୯ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଉକ୍ତ କାର୍ଯ୍ୟକୁ ପ୍ରଶାସନିକ ଅଧିକାରୀ ନକରି ‘ମୋ ସ୍କୁଲ କମିଟି’ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଚ୍ଛାସବୀ ସଂଗଠକ, ଶିକ୍ଷାବିତ୍‌, ଅଭିଭାବକ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

Related posts