ଭାପୁର,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁସାରେ ଭାପୁର ବ୍ଲକର ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଉପନିର୍ବାଚନ ଆଜି ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀଭାବେ ନୟାଗଡ ତହସିଲଦାର ଶ୍ରୀ ଭିକାରୀ ସାହୁ ନିର୍ଦ୍ଧାରିତ ସମୟରେ ମନୋନୟନ ପତ୍ର ପ୍ରଦାନ କରିବା ପରେ ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷିତ ଅନୁସୂଚିତ ଜନଜାତି ବର୍ଗର ମହିଳା ଭାବେ କେନ୍ଦୁପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ବେହେରା ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ।

ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଯାଞ୍ଚ କରି ସାରିବା ପରେ ଶାନ୍ତିଲତାଙ୍କ ପ୍ରାର୍ଥୀତ୍ୱ ବୈଧତା ରହିବା ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଯଦି ପ୍ରତିଦ୍ବନ୍ଦିତା ଆବଶ୍ୟକତା ଥାଏ ତେବେ ଭୋଟ ହେବା କଥା କିନ୍ତୁ ଏଠାରେ ଜଣଙ୍କର ପ୍ରାର୍ଥୀତ୍ବ ବୈଧତା ଥିବାରୁ ତାଙ୍କୁ ଅପ୍ରତିଦ୍ବନ୍ଦୀ ଭାବେ ବ୍ଲକ ଅଧ୍ୟକ୍ଷା ଘୋଷଣା କରିବା ପରିବର୍ତ୍ତେ ନିର୍ବାଚନ ଅଧିକାରୀ କୋରମ ନାହିଁ କହି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିଦେବା ଦ୍ୱାରା ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଅଣଦେଖା କରାଯାଇ ସିଧାସଳଖ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନ ପାଇଁ କୋରମର ଆବଶ୍ୟକତା ନଥିବା ପଞ୍ଚାୟତ ସମିତି ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ କୌଣସି ମତାମତ ଆହ୍ୱାନ କରାନଯାଇ କୋରମ ଅଭାବ କାରଣରୁ ନିର୍ବାଚନ ପ୍ରକ୍ରିୟା ରଦ୍ଧ କରିବା ଦ୍ୱାରା ଶାନ୍ତିଲତାଙ୍କ ସାମ୍ବିଧାନିକ ଅଧିକାର ଖୁର୍ଣ୍ଣ ହୋଇଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।
