ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କୋଭିଡ଼ ନିୟମ ପାଳନ କରି ଦୁର୍ଗାପୂଜା କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଲେ ଯେ, ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ ଘଟିକା ଠାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ଜାରି ରହିବ । ପୂଜା କମିଟିମାନେ କୋଭିଡ଼ ନିୟମ ପାଳନ କରି କେବଳ ରୀତିନୀତି ଅନୁସାରେ ଦେବୀଙ୍କ ପୂଜା କାର୍ଯ୍ୟ ସଂପାଦନ କରିପାରିବେ । ପୂଜା ସ୍ଥଳରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପୂଜା ସ୍ଥଳରେ କୌଣସି ପ୍ରକାର ଡାକବାଜି ଯନ୍ତ୍ର ବାଜିବାକୁ ଅନୁମତି ଦିଆଯିବ ନାହିଁ । ସେହିଭଳି କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ କିମ୍ବା ବାଣ ଫୁଟା ଯାଇପାରିବ ନାହିଁ । ସମସ୍ତ ପୂଜାକମିଟି ଗୁଡ଼ିକ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ସରକାରଙ୍କ ଦ୍ଵାରା ପ୍ରଣୀତ ଗାଇଡ ନିୟମ ଅନୁସାରେ ସମସ୍ତ ପୂଜାକାର୍ଯ୍ୟ ସଂପାଦନ କରିବେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।
କୋଭିଡ଼ ନିୟମ ଅନୁସାରେ ପାଳିତ ହେବ ଦୁର୍ଗାପୂଜା
