ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ଭବନ ପରିସରରେ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ସମାଜସେବୀ ଶ୍ରୀଧର ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ସାହୁ ଉପସ୍ଥିତ ହଷ୍ଟେଲ ଅନ୍ତେବାସୀ ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ, ଅହିଂସା ଓ ଶାନ୍ତିର ଦେବଦୂତ ସାଜି ଭାରତ ମାତାର ସନ୍ତାନ ରୂପେ ଆବିର୍ଭାବ ହୋଇଥିଲେ। ଗାନ୍ଧୀଜୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଅହିଂସା ନିଷ୍ଠା ବଳରେ ଦେଶ ଆଜି ସ୍ବାଧୀନ। ଦେଶର ପ୍ରାକ୍ତନ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନୁଭବ କରିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଦେଶର ସୈନିକ, କୃଷକ ଓ ଶ୍ରମିକମାନଙ୍କର ଉନ୍ନତି ନ ହୋଇଛି ସେ ପର୍ଯ୍ୟନ୍ତ ଦେଶ ଆଗେଇ ପାରିବ ନାହିଁ। ସେଥିପାଇଁ ସେ କହିଥିଲେ “ଜୟ ଜବାନ ଜୟ କିଷାନ”। ଅହିଂସା ନୀତି ଆପଣେଇ ସ୍ବାଭିମାନୀ ଭାବେ ବଞ୍ଚିବା ସହିତ ଆମ ଛାତ୍ରଛାତ୍ରୀ ମାନଙ୍କୁ ଏ ଦିଗରେ ବ୍ରତୀ କରିବା ପାଇଁ ଗୁରୁଜୀଗୁରୁମା ମାନେ ଚେ଼ଷ୍ଟା କରିବା ଉଚିତ୍ ବୋଲି ମଧ୍ଯ କହିଥିଲେ। ଏହି ଅବସରରେ ପ୍ରିୟମ୍ବଦା ଗୁରୁମା, ଶୋଭା ଗୁରୁମା ଓ ପ୍ରକାଶ ଗୁରୁଜୀ ବକ୍ତବ୍ଯ ରଖିଥିଲାବେଳେ ସୁନିତା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ।

