ବଡସହରା ଗ୍ରାମରେ ଧୁମଧାମରେ ପାଳିତ ହେଲା ଖୁଦୁରୁକୁଣୀ ଓଷା

ଖଣ୍ଡପଡା,(୨୦/୦୯): ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଗାଁ ଗହଳିର ଅନେକ ଅନନ୍ୟ ପରମ୍ପରା ଓ ସଂସ୍କୃତି । ଯେଉଁ ପରମ୍ପରା ଓ ସଂସ୍କୃତି ଯୋଗୁଁ ଆମ ଓଡ଼ିଆ ମାଟି ସାରା ବିଶ୍ବ ଦରବରରେ ପରିଚିତ ସେସବୁ ଏବେ ଧୀରେଧୀରେ ବୁଡି ଯିବା ଦେଖି ବୁଦ୍ଧିଜିବିଙ୍କ ମହଲରେ, ଉଦବେଗ ପ୍ରକାଶ ପାଉଛି। ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ସରକାର ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକ୍ରମ ସ୍ଵାଗତ ଯୋଗ୍ୟ। ସୂଚନା ଥାଉକି ପୁରୁଣା କାଳରେ ଗାଁ ଗାଁ ମାନଙ୍କରେ ଶୁଣିବାକୁ ମିଳୁଥିବା ବୁଧେଇ ସୁଧେଇ ଓଷାର ଗୀତ, ଗାଁ କୁମାରୀଙ୍କର ଜହ୍ନି ଓଷା ଗୀତ ଅବା ବୁଢ଼ୀ ମା’ର ଝୋଟି ଚିତାରେ ପରମ୍ପରା ହେଉ କି ଗ୍ରାମ ଯୁବକଙ୍କର ରଜ ପର୍ବରେ କବାଡି, ବାଗୁଡ଼ି, ବାଟି ଖେଳ ହେଉ କି ପାନ ଖିଆ ହେଉ ଧୀରେ ଧୀରେ ବୁଡ଼ିବାକୁ ଲାଗିଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଆମ ସଂସ୍କୁତି ପରମ୍ପରାକୁ ଭୁଲିନି ଖଣ୍ଡପଡା ବ୍ଲକର ବଡସହରା ଗ୍ରାମ। ତା’ର ଏକ ସଦ୍ୟ ଉଦାହରଣ ହେଉଛି ଗତକାଲି ପାଳିତ ହେଇଥିବା ଖୁଦୁରୁକୁଣୀ ଓଷା। ଏହି ଖୁଦୁରୁକୁଣୀ ଓଷା ଅବସରରେ ଗ୍ରାମର ଯୁବତୀମାନେ ନିଜ ନିଜ ଭାଈ ମାନଙ୍କର ଶୁଭ ମନାସୀ ପାରମ୍ପାରିକ ରୀତିନୀତିରେ ମା’ ମଙ୍ଗଳାଙ୍କୁ ପୂଜା କରିଥିଲେ। କିନ୍ତୁ ଏ ସବୁ ଭିତରେ ମୁଖ୍ୟ ଆକର୍ଷଣ ଥିଲା ସମୂହ ବୋଇତ ବନ୍ଦାଣ ଉତ୍ସବ। ଏହି ଅବସରରେ ଗ୍ରାମ କମିଟି ତରଫରୁ ତିନି ସାହିର ଯୁବତୀମାନଙ୍କ ମଧ୍ୟରେ ବୋଇତ ଭଷାଣ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ସାହିର ଭାଇ ଓ ଯୁବକମାନେ ଯୁବତୀ ମାନଙ୍କୁ ବୋଇତ ଗଠନରେ ସହଯୋଗ କରିଥିଲେ। ଶେଷରେ ବୋଇତ ଗଠନରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଦଳକୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆଖପାଖ ପାଞ୍ଚ ଖଣ୍ଡ ଗ୍ରାମର ଲୋକ ଉପଭୋଗ କରିଥିଲେ। ଏହି ବୋଇତ ଭଷାଣ କାର୍ଯ୍ୟକ୍ରମକୁ ଦେଖି ପଡୋଶୀ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ବଡସହରା ଗ୍ରାମରେ ଭାତୃତ୍ବ ଭାବ ବଜାୟ ରହୁଛି ଓ ପୁରୁଣା ସଂସ୍କୃତି ଉଜ୍ଜୀବିତ ହେଉଛି ବୋଲି ଗ୍ରାମର ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

Related posts