ନୟାଗଡ଼,(୦୯/୦୯): ନୟାଗଡ଼ ପୈାରାଞ୍ଚଳ ଏବଂ ବ୍ଲକରୁ ମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜୁମ୍ ଆପ୍ ମାଧ୍ୟମରେ ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଟ୍ଟକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ବ୍ଲକ ଶିକ୍ଷା ଅଧିକାରୀ ନୀଲାମ୍ବର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ଜିଲ୍ଲାପାଳ ‘ଜୀବନକୁ ବୁଝିବା ହେଉଛି ଶିକ୍ଷା’ ବୋଲି କହିବା ସହ କୋଭିଡ୍ ସମୟରେ ବୈଷୟିକ ଉପାୟରେ ଛାତ୍ରଛାତ୍ରୀମାନେ କଷ୍ଟରେ ପାଠ ପଢ଼ି ଯେଉଁ ଯୋଗ୍ୟତା ହାସଲ କରିଛନ୍ତି ତାହା ପ୍ରଶଂସାର ଯୋଗ୍ୟ । ଛାତ୍ରଛାତ୍ରୀମାନେ ନିଷ୍ଠାପରତା, ଶୃଙ୍ଖଳିତ ଜୀବନ ଅତିବାହିତ କଲେ ତାହା ସେମାନଙ୍କୁ ସଫଳତା ଦେବ ବୋଲି କହିଥିଲେ । ନିଜ ପସନ୍ଦରେ ବୃତ୍ତିକୁ ଆପଣାଇଲେ ଜୀବନରେ ସଫଳତା ମିଳିବାର ସମ୍ଭାବନା ରହିଛି ବୋଲି ମଧ୍ୟ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ତାଙ୍କ ଅଭିଭାଷଣରେ ‘ଜ୍ଞାନର ପରିସୀମା ନାହିଁ’, ପାଠ୍ୟ ପୁସ୍ତକ ବାଦ ଅନ୍ୟାନ୍ୟ ଜ୍ଞାନ ଆରୋହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ଚେଷ୍ଠା, ନିଷ୍ଠା, ପରାକାଷ୍ଠା ସେମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କହିଥିଲେ । ଆମେ ଦାୟିତ୍ୱରେ ଥାଇ ସମସ୍ତଙ୍କୁ ପ୍ରେରଣା ଦେବା ହେଉଛି, ଆମର ଦାୟିତ୍ୱ । ବର୍ତ୍ତମାନର ବୟସରେ ସମୟକୁ ସଠିକ୍ ମାର୍ଗରେ ଉପଯୋଗ କଲେ, ଅତି ଉଚ୍ଚ ସ୍ତରକୁ ଯାଇ ପାରିବା ବୋଲି କହିଥିଲେ । ଶିକ୍ଷା ପ୍ରତି ଯେତିକି ସମୟ ଦେବା ଜ୍ଞାନର ପରିପ୍ରକାଶ ସେହି ପରିମାଣରେ ହେବ । ମାଟ୍ରିକ ପରେ କଲେଜ ଶିକ୍ଷାରେ ନିଜେ ନିଜର ଅଭିଭାବକ ହେବା ଆବଶ୍ୟକତା ଅଛି ବୋଲି କହିଥିଲେ । ପରିଶେଷରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୬ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ ।
ମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ
