ଗୁରୁଦିବସରେ ଡ଼. ଜଗମୋହନଙ୍କୁ ‘ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ’

ନୟାଗଡ଼(୦୫/୦୯):- ସଂସ୍କୃତ ଭାଷା ସାହିତ୍ୟର ଗବେଷକ, ସୁସାହିତ୍ୟିକ ତଥା ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟରେ ସହ-ପ୍ରାଧ୍ୟାପକ ଭାବେ କାର୍ଯ୍ୟକରୁଥିବା ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ପବିତ୍ର ଗୁରୁଦିବସରେ “ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ ” ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଦ୍ୟୁତ ସାମନ୍ତ ସଭାପତିତ୍ବ କରିଥିଲାବେଳେ ଅଜମଲ୍ ହୁସେନ୍ ମୁଖ୍ୟଅତିଥି ଭାବେ ଏବଂ ପ୍ରଫେସର ତପନ୍ ପାଲ୍ , ଡ.ବିମଳକୃଷ୍ଣ ଦାସ, ଡ.ଶୁକ୍ଳାସାହା ମଣ୍ଡଳ, ଡ.ରଂଜିତା ବିଶ୍ୱାସ, ଡ.ବିକାଶ ଘୋଷ, ଡ.ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଖଡ଼ଗପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଡ.ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଏଥିରେ ଅତିଥିମାନେ ସମ୍ମାନିତ ପ୍ରତିଭୂଙ୍କ ଆଦର୍ଶ ଶିକ୍ଷକ ଜୀବନ, ଶିକ୍ଷାଦାନକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ।ଜଣେ ଆଦର୍ଶ ଶିକ୍ଷକ ସହ ନିଜ ସାହିତ୍ୟକୃତି ପାଇଁ ମଧ୍ୟ ଜାତୀୟସ୍ତରରେ ବେଶ୍ ପରିଚିତି ଲାଭ କରିପାରିଛନ୍ତି ଡ.ଆଚାର୍ଯ୍ୟ। ତାଙ୍କ ସଂପାଦିତ ଗବେଷଣାଧର୍ମୀ ପତ୍ରିକା ” ଋତାୟନୀ” ସାହିତ୍ୟିକ, ଶିକ୍ଷାବିତ୍ ଙ୍କ ଦ୍ୱାରା ପ୍ରଶଂସିତ ହେଉଥିବା ବେଳେ ନିଜର ଅନେକ ଗବେଷଣାଆଧାରିତ ପ୍ରବନ୍ଧ ସର୍ବଭାରତୀୟ ସ୍ତରରେ ପାଠକୀୟତା ଲାଭ କରିପାରିଛି। ସଂସ୍କୃତ, ଓଡ଼ିଆ, ହିନ୍ଦୀ,ବଙ୍ଗାଳୀ ଓ ଇଂରାଜୀ ଭାଷାରେ ଦକ୍ଷତା ରଖିଥିବା ଏହି ଆଦର୍ଶ ଶିକ୍ଷକ ଓ ସୁସାହିତ୍ୟିକଙ୍କ ତିନୋଟି ପୁସ୍ତକ ମଧୁଲତା,ରଘୁନାଥାୟାନମ୍,ଶବ୍ଦପ୍ରଭା ତାଙ୍କ ସାହିତ୍ୟ ସାଧନାର ଅନ୍ୟତମ କୃତି। ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟର ସହ-ପ୍ରାଧ୍ୟାପକ ଭାବେ କାର୍ଯ୍ୟକରୁଥିବା ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନର ଏହି ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିବାରୁ ଅଧ୍ୟାପକ, ଶିକ୍ଷକ, ସାହିତ୍ୟିକମାନେ ଶୁଭେଚ୍ଛା ଜଣାଇଛନ୍ତି।

Related posts