ଜୋର ଧରିଲା ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥ ନିର୍ମାଣ ଦାବି

ନୟାଗଡ଼,(୨୭/୦୮):- ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥକୁ ତୁରନ୍ତ ନିର୍ମାଣ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶ୍ୱନାଥ ମହାପାତ୍ରଙ୍କ ଆବାହକତ୍ବରେ ଆଜି ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଦଳମତ ନିର୍ବିଶେଷରେ ଉଦ୍ୟମ ଚାଲୁ ରହିବା ପାଇଁ ସର୍ବ ସମ୍ମତ୍ତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନୁଭୂତିକୁ ପାଥେୟ କରି ଏହି ରେଳପଥ ଦ୍ୱାରା ଉପକୃତ ସମସ୍ତ ଜନସାଧାରଣଙ୍କୁ ଏକାଠି କରିବାର ଆବଶ୍ୟକତା ଉପରେ ଆଲୋଚନା ରଖିଥିଲେ । ଓଡ଼ିଶାର ଏକତା ଓ ସଂହତି ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଓ ତାଳଚେର-ଗୋପାଳପୁର ରେଳପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ମତ ପ୍ରକାଶ ହୋଇଥିଲା । ଏହି ଆଲୋଚନା ସଭାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଆଲୋଚନା ରଖିଥିଲେ । ଅନୱର ଅଲ୍ଲୀ, ନିରଂଜନ ମିଶ୍ର, ସନ୍ତୋଷ ପ୍ରଧାନ, ସୁବାସ ଚନ୍ଦ୍ର କଅଁର, ଶ୍ରୀକାନ୍ତ ପଟ୍ଟନାୟକ, ଜ୍ୟୋସ୍ନା ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ ଆଲୋଚନା କରି ଭବିଷ୍ୟତରେ ଲଗାତର କାର୍ଯ୍ୟକ୍ରମ ସହିତ ବିଭିନ୍ନ ରାଜ୍ୟସ୍ତରୀୟ ଓ କେନ୍ଦ୍ରସ୍ତରୀୟ ନେତୃତ୍ୱଙ୍କୁ ଏହା ଅବଗତ କରାଯିବ ବୋଲି ପ୍ରସ୍ତାବ ରଖା ଯାଇଥିଲା ।

Related posts