ଓଡ଼ଗାଁ,(୨୭/୦୮):- ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହାରୁ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦିଆଯାଇଛି।ଆଜକୁ ଦୀର୍ଘ ୮ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟାଳୟରେ ମାତ୍ର ଟ୭୦୦୦/- ପାରିଶ୍ରମିକ ପାଇ ନିୟମିତ ଭାବରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ୨୦୧୮-୧୯ ଶିକ୍ଷା ବର୍ଷରେ ପ୍ରୋଜେକ୍ଟ ଆପ୍ରୁଭାଲ୍ ବୋର୍ଡର ସ୍ପଷ୍ଟ ନିର୍ଦ୍ଦେଶନାମାରେ ସେମାନେ ପିରିୟଡ଼ ଅନୁସାରେ ପାଉଥିବା ପ୍ରାପ୍ୟ ପାର୍ଟ ଟାଇମ୍ ପରିବର୍ତ୍ତେ ଏଲିମେଣ୍ଟାରି କଣ୍ଟ୍ରାକଚୁଆଲ କରାଯାଇ ମାସିକ ବେତନ ଦେବାପାଇଁ ଉଲ୍ଲେଖ ଅଛି। କିନ୍ତୁ ତାହା ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଲାଗୁ କଲେନାହିଁ ଯାହାକି ଓଡ଼ିଶାରେ ନିଯୁକ୍ତି ପାଇଥିବା ୬୦୦୦ ରୁ ଉର୍ଦ୍ଧ୍ବ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତିକରୁଛି ଏବଂ ସ୍ୱଳ୍ପ ପାରିଶ୍ରମିକ ଯାହାକି ପରିବାର ପ୍ରତିପୋଷଣ କରିବାରେ ବାଧକ ସାଜିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଓଡ଼ଗାଁ ବ୍ଳକର ସମସ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକଲବ୍ୟ ଦାଶ, ବଂଶୀଧର ପ୍ରଧାନ ଏବଂ ହିମାଂଶୁ ବିଧାର ପ୍ରମୁଖଙ୍କ ଦ୍ୱାରା ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଓଡ଼ଗାଁ ବ୍ଳକର କଳା ଓ କ୍ରୀଡ଼ା ଶିକ୍ଷକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
