ଓଡଗାଁ ଅଞ୍ଚଳରୁ ଧାରାବାହିକ ଭାବେ ଲୁଟ କରୁଥିବା ଲୁଟେରା ଗିରଫ, ୪୫ ହଜାର ଟଙ୍କା ଏବଂ ୨ ବାଇକ ଜବତ

ଓଡ଼ଗାଁ,(୨୬/୦୮):- ଓଡଗାଁ ଅଞ୍ଚଳରୁ ଧାରାବାହିକ ଭାବେ ଲୁଟ କରୁଥିବା ଲୁଟେରା ଏଙ୍କଟେସକୁ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଆଜି ଗିରଫ କରିବା ସହ ତା’ ଠାରୁ ୪୫ ହଜାର ଟଙ୍କା, ୨ ବାଇକ ଓ ଗୋଟିଏ ମୋବାଇଲ ଜବତ କରିଛି । ଗତ ୧୯ ତାରିଖ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଏନଏସି କାର୍ୟ୍ୟାଳୟ ନିକଟରୁ ଏକ ଇଲେକ୍ଟ୍ରି ଦୋକାନ ନିକଟରୁ ବାଇକ ଡିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଠିକ ସମାନ୍ତରାଳ ଢଙ୍ଗରେ ଗତ ତିନି ମାସ ତଳେ ଓଡ଼ଗାଁ ଏନଏସି ଅନ୍ତଗର୍ତ ଜାରିଙ୍ଗି ଅଞ୍ଚଳର ଦୁଇ ଜଣ ମହିଳା ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଚାଲି ଚାଲି ଯାଉଥିବା ସମୟରେ ଲୁଟେରାମାନେ ମହିଳାଙ୍କ ପିଛା କରି ଟଙ୍କା ଝାମ୍ପି ନେବାରେ ସଫଳ ହୋଇଥିଲେ । ଓଡଗାଁ ଅଞ୍ଚଳରୁ ଏମିତି ବାରମ୍ବାର ଲୁଟ ହେଉଥିବାରୁ ସ୍ଥାନୀୟ ପୋଲିସର ନିଦ ହଜାଇ ଦେଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ଓଡଗାଁ ପୁଲିସ ତଦନ୍ତ ଚଳାଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଏଙ୍କଟେସ୍ ଏବଂ କିଛି ସହଯୋଗୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ପୁଲିସ ମୋବାଇଲ ଟ୍ରାକ କରି ଏଙ୍କଟେସକୁ ଆଜି ଓଡ଼ଗାଁ ବଜାର ମଧ୍ୟରୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ଦୁଇଟି ଯାକ ଲୁଟରେ ସାମିଲ ଥିବା ସ୍ୱୀକାର କରିଛି । ଏହି ଲୁଟରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ଖୁବ ଶ୍ରୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରିଣୀ କହିଛନ୍ତି । ଗିରଫ ଏଙ୍କଟେସକୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନାମିଳିଛି ।

Related posts