ଉଦଘାଟନ ପୂର୍ବରୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ ଦଶପଲ୍ଲା ବିଧାୟକ

ଗଣିଆ(୨୪/୦୮):- ଗଣିଆ ବ୍ଲକ ବଡମୂଳ ଠାରୁ ଶିଖରଗୋଛା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଶୁଭ ଉଦଘାଟନ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାକୁ ନେଇ ଆଜି ରାସ୍ତା ଅବରୋଧ କରି ବସିଥିଲେ ଶତାଧିକ ଜନସାଧାରଣ। ଉକ୍ତ ରାସ୍ତାକୁ ଉଦଘାଟନ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଯାଉଥିବା ସମୟରେ ବଡମୂଳ ବନବିଭାଗର ଫାଟକ ନିକଟରେ ରାସ୍ତା ଅବରୋଧ କରି ବସିଥିବା ଜନସାଧାରଣ ସେମାନଙ୍କୁ ଛାଡ଼ିନଥିଲେ। ରାସ୍ତା କାମ ଅଧାପନ୍ତରିଆ ହୋଇଥିବାବେଳେ କିପରି ଉଦଘାଟନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ବଡମୂଳ ଠାରୁ ଶିଖରଗୋଚ୍ଛା ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଅସମ୍ପୂର୍ଣ୍ଣ ହୋଇଥିବାରୁ ଯଥାଶୀଘ୍ର ସମ୍ପୂର୍ଣ କରିବାପାଇଁ ଅଞ୍ଚଳବାସୀ ଦାବୀ କରିଥିଲେ। ଦୁଇ ମାସ ଭିତରେ ଅସମ୍ପୂର୍ଣ ରାସ୍ତାକୁ ସମ୍ପୂର୍ଣ କରିବାକୁ ବିଧାୟକ ପ୍ରତିଶୁତି ଦେବାପରେ ରାସ୍ତା ଅବରୋଧରୁ ହଟିଥିଲେ ଅଞ୍ଚଳବାସୀ। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅପାରଗତା ଯୋଗୁଁ ଉଦଘାଟନ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ବିଧାୟକ ଶ୍ରୀଯୁକ୍ତ ବେହେରା।

Related posts