କୁରାଳରେ ପରିବେଶ ସାଥି ସୁକାନ୍ତ ଚୌଧୁରୀଙ୍କ ଦ୍ଵାରା ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା

ଓଡ଼ଗାଁ,(୨୨/୦୮):- ପବିତ୍ର ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରଧାନ କୃଷି ଭିତ୍ତିକ ଗଣ ପର୍ବ। ଏହି ଦିନକୁ କିଏ ରାକ୍ଷୀ ପୂର୍ଣ୍ଣିମା ତ କିଏ ଗହ୍ମା ପୂର୍ଣ୍ଣିମା କହିଥାନ୍ତି। ପ୍ରଭୁ ବଳଦେବଙ୍କର ଆଜି ମଧ୍ୟ ଜନ୍ମଦିନ। ଦିନ ଥିଲା ଓଡ଼ିଶାର ପୁରପଲ୍ଲୀରେ ଏହି ପର୍ବଟି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ୍ ଧୁମ୍ ଧାମରେ ପାଳିତ ହେଉଥିଲା। ଆଜି ତାହା କେବଳ ରକ୍ଷାବନ୍ଧନ ମଧ୍ୟରେ ସୀମିତ ରହିଯାଇଛି। ଏ କ୍ଷେତ୍ରରେ ଓଡ଼ଗାଁ ବ୍ଳକ କୁରାଳ ଗ୍ରାମର ପରିବେଶ ସାଥି ତଥା ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀ ଅତୀତ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହିତ କିଛି ଭିନ୍ନ ପ୍ରକାର କାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଛନ୍ତି। ବୁଲି ବୁଲି ଆବାଳ ବୃଦ୍ଧ ବନିତାଙ୍କୁ ରାକ୍ଷୀ ବାନ୍ଧିବା ସହିତ ଡାକବାଜି ଯନ୍ତ୍ର ବ୍ୟବହାର କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ମନୁଷ୍ୟ, ପଶପକ୍ଷୀ ତଥା ବୃକ୍ଷଲତାଙ୍କ ସୁରକ୍ଷା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହା ସହିତ ପରିବେଶ ସାଥି ତଥା ସାମାଜିକ କର୍ମୀମାନଙ୍କ ସହାୟତାରେ ବୃକ୍ଷ ମାନଙ୍କୁ ରାକ୍ଷୀ ବନ୍ଧନ, ବୃକ୍ଷ ଚାରା ବଣ୍ଟନ, ଗରିବ ଲୋକଙ୍କୁ ବସ୍ତ୍ର, ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଉପହାର, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ ଓ ସ୍କୁଲ୍ ଯାଇନଥିବା ପିଲାମାନଙ୍କୁ ଶିକ୍ଷାଦାନ, କଲେଜ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀଅରବିନ୍ଦଙ୍କ ସମ୍ପର୍କିତ ପୁସ୍ତକ ବଣ୍ଟନ, କରୋନା ସୁରକ୍ଷା ବାର୍ତ୍ତା ସହ ହାତଧୁଆ ସାବୁନ ଓ ମାସ୍କ୍ ବଣ୍ଟନ କରିଥିଲେ। ଉତ୍କଳୀୟ ପରମ୍ପରାକୁ ଆଜିର ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ଯାଇ ଗୋରୁ ଓ କୃଷି ଉପକରଣ ପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ସହିତ ଗହ୍ମା ଡ଼ିଆଁ ପ୍ରତିଯୋଗିତାର ଆୟୋଜନ କରି ଆଧୁନିକ ଓ ପରମ୍ପରା ପ୍ରେମୀ ମାନଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

Related posts