ବଟ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ

ଦଶପଲ୍ଲା(୨୨/୦୮): ସାରା ରାଜ୍ୟରେ ଆଜି ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ଶୁଭ ମନାସିଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ବୃକ୍ଷ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧିଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତିମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି । ମା’ ମଣୀନାଗ ଆଂଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସଂପାଦକ ରାଜେଶ୍ କୁମାର ଜାନି, କୋଷାଧ୍ୟକ୍ଷ ଶୁଭକାନ୍ତ ଜାନି ଓ ରତ୍ନାକର ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଶିଷ୍ଠ ସମାଜସେବୀ ଶରତଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ତଥା ଦଶପଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘ ସଭାପତି ସୁଶାନ୍ତ କୁମାର ସାହୁ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ କୁମାର ସାହୁ ଓ ସ୍ଥାନୀୟ ବନପାଳ ଅନ୍ତର୍ଯ୍ୟାମୀ ଜାନି ଯୋଗ ଦେଇଥିବାବେଳେ ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ପରମାନନ୍ଦ ମଳିକଙ୍କ ସମେତ ଗ୍ରାମବାସୀ ଏକତ୍ର ହୋଇ ବଟବୃକ୍ଷରେ ରାଖୀ ବାନ୍ଧିବା ସହିତ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିଥିଲେ। ଯୋଗଦେଇଥିବା ଅତିଥିମାନେ ସମସ୍ତଙ୍କ ଶୁଭ କାମନା ମନାସିଥିଲେ । ଏହା ପରେ ପାରମ୍ପରିକ ରିତିରେ ଛୋଟ ଛୋଟ ପିଲାମାନେ ଗହ୍ମାପର୍ବ ପାଳନ କରିଥିଲେ ।

Related posts