ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ ।

ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ବକ୍ତବ୍ୟରେ କହିଥିଲେ। ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଦାବି ଜୋରଦାର କରିବ ବୋଲି ସେ କହିଥିଲେ। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକମାନେ ରାଜ୍ୟ ସଭାପତିଙ୍କୁ ଫୁଲମାଳ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣୀ ଏବଂ ରାଜ୍ୟ ସଂଘର ବହୁ କର୍ତ୍ତକର୍ତ୍ତା ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାଶ ଏବଂ ଡିଜିଟାଲ ମିଡିଆ ଆସୋସିଏସନ ସଭାପତି ଅନୱାର ଅଲ୍ଲୀଙ୍କ ଆବାହକତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ କରିଥିଲେ।


