ବୃକ୍ଷ ରୋପଣ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର/ରାଜସୁନାଖଳା,(୧୦/୦୮):- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଏବଂ ରଣପୁରର ଅଗ୍ରଣୀ ସାମାଜିକ ସଂଗଠନ ଏନ.ୱାଇ.କେ.ଏସ.ର ମିଳିତ ଆନୁକୂଲ୍ୟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣର ଦ୍ଵିତୀୟ ଲହର ନିମନ୍ତେ କରାଯାଇଥିବା କଟକଣାକୁ ନୟାଗଡ଼ ଜିଲ୍ଲାରେ କୋହଳ କରାଯିବା ପରେ ଜିଲ୍ଲାର ପ୍ରମୁଖ ଦର୍ଶନୀୟ ପୀଠ ସହ ଦେବାଳୟ ଗୁଡିକରେ ଭିଡ଼ ହେବାକୁ ଲକ୍ଷ୍ୟ ରଖି ଉକ୍ତ ସ୍ଥାନ ଗୁଡିକର ସ୍ଵଛତା ଦୃଷ୍ଟିରୁ ଆଜି ରାଜସୁନାଖଳା ପଞ୍ଚାୟତର କୋଟଗଡସ୍ଥ ଅନନ୍ତ ଗୁମ୍ଫାରେ ପ୍ରଥମେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପରେପରେ ଉଭୟ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଗୁମ୍ଫା ପରିସରରେ ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ।

ଏହିକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେNYKS ରଣପୁରର ଏନ.ୱାଇ.ଭି ଅପର୍ଣ୍ଣା ମିଶ୍ର ଏବଂ ଅନ୍ନପୂର୍ଣ୍ଣା ଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉଭୟ ଅନୁଷ୍ଠାନର ମୋଟ ୧୫ଜଣ ସ୍ୱେଚ୍ଛାସେବୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ପ୍ରତ୍ୟେକ ସ୍ୱେଚ୍ଛାସେବୀ ରୋପଣ କରାଯାଇଥିବା ବୃକ୍ଷ ଗୁଡିକ ବଡ଼ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ଏବଂ ସୁରକ୍ଷା ନେବା ନିମନ୍ତେ ଶପଥ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଓଟିଭିର ନୟାଗଡ଼ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ବୃକ୍ଷର ମହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ।ଅନୁରୂପ ଭାବେ ଇଟିଭି ଭାରତ, ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କ ଏଭଳି କାର୍ଯ୍ୟର ଭୁରିୟସୀ ପ୍ରଶଂସା କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଯୁବ ସ୍ୱେଚ୍ଛାସେବୀ ରଶ୍ମିରଞ୍ଜନ ପରିଡା, ମନୋଜ କୁମାର ମହାପାତ୍ର, ଲିପନ କୁମାର ସାହୁ, ଧର୍ମେନ୍ଦ୍ର ସାହୁ ପ୍ରଦୀପ କୁମାର ରଣା, ପ୍ରଦୀପ କୁମାର ସାହୁ, କୈଳାଶ ଚନ୍ଦ୍ର ସାହୁ, ଜିତୁ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଅନନ୍ୟା ଫାଉଣ୍ଡେସନ ରାଜସୁନାଖଳାର ମୁଖ୍ୟ ଆଶୁତୋଷ ଦାସ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଆଗାମୀ ଦିନରେ ରଣପୁର ବ୍ଲକର ଅନ୍ୟାନ୍ୟ ଦର୍ଶନୀୟ ପୀଠ ଗୁଡିକରେ ସ୍ଵଛତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କରାଯିବ ବୋଲି ମହୋତ୍ସବ କମିଟିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Related posts