ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ, ଉତ୍ତମ ଚରିତ୍ର ଗଠନ ପାଇଁ ପରାମର୍ଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପାଣିପୋଇଲା ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ସପ୍ତଦଶ ବାର୍ଷିକ ଉତ୍ସବ ଶନିବାର ଦିନ ମହା ଆଡମ୍ବର ଓ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷା, ସଂସ୍କାର, ଶୃଙ୍ଖଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଯୋଗଦେଇ ଶିଶୁମାନଙ୍କୁ ଉତ୍ତମ ଚରିତ୍ର ଗଠନ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ଶିକ୍ଷା ପ୍ରଦାନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷୟିତ୍ରୀ, କବୟିତ୍ରୀ ଓ ଲେଖିକା ଝିଲିମିଲି ସାହୁ ଯୋଗଦେଇ ଶିଶୁ ହିଁ ରାଷ୍ଟ୍ରର ଅମୁଲ୍ୟ ସମ୍ପଦ ବୋଲି ଅଭିହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ସମଗ୍ର ଶିକ୍ଷା ସୁଶ୍ରୀ ଶ୍ରାବଣୀ ମିଶ୍ର ଯୋଗଦେଇ ବାଳିକା ଶିକ୍ଷାର ପ୍ରସାର, ନାରୀ ସଶକ୍ତିକରଣ ଏବଂ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗର ଆବଶ୍ୟକତା ସମ୍ପର୍କରେ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର‌୍ୟ୍ୟ ତଥା ସମ୍ପାଦକ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଶିକ୍ଷାଗତ, ସାଂସ୍କୃତିକ ଓ ସହଶୈକ୍ଷିକ କାର‌୍ୟ୍ୟକ୍ରମ ସହିତ ବର୍ଷତମାମ ଛାତ୍ରଛାତ୍ରୀଙ୍କ ସଫଳତାର ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଓ ଏକ ସଂସ୍କାର ସମ୍ପନ୍ନ ସମାଜ ଗଠନର ସଂକଳ୍ପ ସହିତ ଉତ୍ସବର ପରିସମାପ୍ତି ଘଟିଥିଲା ।

Related posts