ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଚମକିଲେ ରୋହିବାଙ୍କର ଦୁଇ ଛାତ୍ରୀ

ଆଲିଶା ଓ ସନ୍ଧ୍ୟାରାଣୀଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ, ପ୍ରତିଭାରେ ମନ ଜିଣିଲେ ଆଲିଶା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଚିନ୍ତାଧାରାର ଅନନ୍ୟ ନିଦର୍ଶନ ଦେଖାଇ ରାଜ୍ୟସ୍ତରରେ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ରୀ ଆଲିଶା ପ୍ରିୟଦର୍ଶିନୀ ବେହେରା ଓ ସନ୍ଧ୍ୟାରାଣୀ ନାୟକ। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟରେ ନଭେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଉଭୟ ଛାତ୍ରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଶିବିରରେ ଆୟୋଜିତ ‘ଅଦରକାରୀ ଜିନିଷରୁ ଉପଯୋଗୀ ଓ ସୁନ୍ଦର ବସ୍ତୁ ପ୍ରସ୍ତୁତି’ ପ୍ରତିଯୋଗିତାରେ ଛାତ୍ରୀମାନେ ନିଜର ଅସାଧାରଣ ସୃଜନଶୀଳତାର ପରିଚୟ ଦେଇଥିଲେ। ପଲିଥିନ୍ ବ୍ୟବହାର ପରିବର୍ତ୍ତେ କାଗଜରେ ପ୍ରସ୍ତୁତ ସାମଗ୍ରୀ, ଟିସୁ କାଗଜରେ ଫୁଲ ବୁକେ, କାଗଜ କପ୍‌ରେ ଘର ସଜାଇବା ଉପକରଣ, ଅଠାରେ ନିର୍ମିତ ଝରଣା ଓ ଟେବୁଲ୍ ଲ୍ୟାମ୍ପ, ଭଙ୍ଗା ଡବାରୁ ପେନ୍ ଷ୍ଟାଣ୍ଡ ଏବଂ ଛୋଟ ଆଇନାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଆକର୍ଷଣୀୟ ଚିତ୍ର ଭଳି ପ୍ରାୟ ୩୫ଟି ଉପକରଣ ପ୍ରସ୍ତୁତ କରିଥିଲେ। ସେମାନଙ୍କ ଏହି ନିଆରା କଳାକୃତି ଉପସ୍ଥିତ ଅତିଥି ଓ ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କଠାରୁ ଉଭୟ ଛାତ୍ରୀ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ।
କେବଳ କଳାକୃତି ନୁହେଁ, ନିଜର ସାହିତ୍ୟିକ ପ୍ରତିଭାରେ ମଧ୍ୟ ସମସ୍ତଙ୍କ ମନ ଜିଣିଛନ୍ତି ୧୪ ବର୍ଷୀୟା ଛାତ୍ରୀ ଆଲିଶା। ଏହି କମ୍ ବୟସରେ ସେ ନିଜେ ୧୪ରୁ ଅଧିକ କବିତା ରଚନା କରିଛନ୍ତି। ଭାରତ ସ୍କାଉଟ୍ସ ଓ ଗାଇଡ୍ସର ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପକୁ ନେଇ ରଚିତ ନିଜ କବିତାଗୁଡ଼ିକୁ ଶିବିରରେ ସର୍ବସମ୍ମୁଖରେ ଆବୃତ୍ତି କରି ସେ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କଠାରୁ ଉଚ୍ଚ ପ୍ରଶଂସା ସାଉଁଟିଥିଲେ।
ଆଲିଶାଙ୍କ କବିତା ଲେଖିବା ପ୍ରତି ଆଗ୍ରହ ଓ ପ୍ରତିଭାକୁ ଉତ୍ସାହିତ କରିବାରେ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଅବଦାନ ପ୍ରେରଣାଦାୟକ ରହିଛି।
ଦୁଇ ଛାତ୍ରୀଙ୍କ ଏହି ସଫଳତାରେ ବିଦ୍ୟାଳୟ ଓ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ସେନାପତି ଦୁଇ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ସଫଳତା କେବଳ ରୋହିବାଙ୍କ ବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ।

Related posts