ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ ଉପରେ ଗୁରୁତ୍ୱାରୋପ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷତା ବୃଦ୍ଧି ତଥା ପରିବେଶ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
‘ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ’ (Natural Crafts & Eco-Friendly Initiative) ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଏକ ପରିଷ୍କାର ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ପ୍ରୟାସ ଏବଂ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ବଡ଼ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ବକ୍ତା ଭାବେ ଡଃ ଗିରିଜା ଶଙ୍କର ମହାପାତ୍ର ଯୋଗଦେଇ ପ୍ରାକୃତିକ ସମ୍ପଦର ସଦୁପଯୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଓ କାର୍ଯ୍ୟପଦ୍ଧତି ଅବଲମ୍ବନ କରିବା ଉପରେ ମତବ୍ୟକ୍ତ କରିଥିଲେ। ପରିବେଶର ସୁରକ୍ଷା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ପରିବେଶ ଅଧ୍ୟୟନ କେନ୍ଦ୍ର (CES) ପକ୍ଷରୁ ମାଷ୍ଟର ଟ୍ରେନର ସନ୍ତୋଷ ଚନ୍ଦ୍ର କର ଏବଂ ପ୍ଲାନିଂ ଆସିଷ୍ଟାଣ୍ଟ ଭରତ ଚନ୍ଦ୍ର ଜେନା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ବିଭିନ୍ନ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷାପ୍ରେମୀମାନେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ ଓ ଆକର୍ଷଣୀୟ କରିବାରେ ରୋଜାଲିନ ମିଶ୍ର, ବିଭୂପ୍ରସାଦ ନନ୍ଦ, ସନ୍ତୋଷ କୁମାର ସାହୁ, ମଧୁସ୍ମିତା ଦାସ ଏବଂ ପ୍ରହ୍ଲାଦ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ସମସ୍ତ ଅତିଥି, ପ୍ରଶିକ୍ଷକ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
