‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନରେ ୮ ଅକ୍ଟୋବର ୧୨ ଘଣ୍ଟିଆ ବନ୍ଦ

ନୟାଗଡ଼ ସଦର ମହକୁମା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଆହ୍ୱାନରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ପକ୍ଷରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।

ବନ୍ଦ ସମୟରେ ଚକ-ଅଖ, ଦୋକାନ ବଜାର, ସ୍କୁଲ-କଲେଜ, ବ୍ୟାଙ୍କ, ଇନ୍ସୁରାନ୍ସ, ଡାକ ବିଭାଗ ଓ କୋର୍ଟ-କଚେରୀ ଆଦି ବନ୍ଦ ରଖିବା ସହ ରେଳ ଚଳାଚଳ ମଧ୍ୟ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରଚାର-ପ୍ରସାର କରାଯିବା ସହ ବନ୍ଦ ଦିନ ଶହ ଶହ ସତ୍ୟାଗ୍ରହୀ ଆନ୍ଦୋଳନରେ ସାମିଲ ହେବେ ବୋଲି ବୈଠକରେ ପ୍ରାକ୍ ପ୍ରସ୍ତୁତି କରାଯାଇଛି।

ଏହି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ମୋଟର ସଂଘ, ମୋଟର କର୍ମଚାରୀ ସଂଘ, ଅଟୋ ଚାଳକ ସଂଘ, ସରକାରୀ ଓ ବେସରକାରୀ କର୍ମଚାରୀ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ୍ ୟୁନିଅନ ଓ ସଂଗଠନକୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି।

ବୈଠକରେ ବରିଷ୍ଠ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ପବିତ୍ର ଇଦ୍ରଜିତ୍, କମଳ ଚରଣ ସାହୁ, ଫକୀର ଚରଣ ମଲ୍ଲ, ରାଜକିଶୋର ଜେନା, ଅମଜାଦ ଖାଁ, ରଶ୍ମିତା ପଟ୍ଟନାୟକ, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପ୍ରମୋଦ କୁମାର ନାୟକ, ଶିବରଞ୍ଜନ ସାହୁ, ଓମପ୍ରକାଶ ପ୍ରଧାନଙ୍କ ସମେତ ବିଭିନ୍ନ ଦଳ ଓ ସଂଗଠନର ନେତା ଓ କର୍ମୀମାନେ ଯୋଗଦେଇଥିଲେ।

Related posts