ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡ଼କ୍ରସର ଜିଲ୍ଲା ସଭାପତି ପ୍ରକାଶ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତି ରାଜ୍, ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ବିଶ୍ୱରଞ୍ଜନ ନାୟକ, ସହକାରୀ ବନ ବିଭାଗ ଅଧିକାରୀ ସତ୍ୟଜିତ୍ କର, ଅଗ୍ନିଶମ ଅଧିକାରୀ, ଜିଲ୍ଲା ଚିକିତ୍ସାଧିକାରୀଙ୍କ ପ୍ରତିନିଧି ଦେବାଶିଷ ସିଂ ଏବଂ ରକ୍ତଭଣ୍ଡାର ଅଧିକାରୀଙ୍କ ପ୍ରତିନିଧି ଅଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଯୁବ ରେଡ଼କ୍ରସର ମହନୀୟତା ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲା ସଂଯୋଜକ ନିରୋଜ କୁମାର ପ୍ରଧାନ ଜିଲ୍ଲା ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଆବାହକ ଶ୍ରୀମତୀ ସ୍ମିତା ସ୍ୱାଇଁ ରେଡ଼କ୍ରସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ବିଷୟ ବିଶେଷଜ୍ଞ ଭାବେ ପୂର୍ବତନ ଜିଲ୍ଲା ସଂଯୋଜକ ଡ଼. ଆଦିତ୍ୟ ମିଶ୍ର ଯୋଗଦେଇ ରେଡ୍ ରିବନ୍ କ୍ଲବ୍, ରକ୍ତଦାନ ଶିବିର ସମେତ ବିଭିନ୍ନ ସେବାମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ୫୦ଟି ମହାବିଦ୍ୟାଳୟର ପରାମର୍ଶଦାତା ଓ ଅଧ୍ୟକ୍ଷମାନେ ଯୋଗଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପରାମର୍ଶଦାତାମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଯୁବ ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ସହଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
