ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା
ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା।
କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଶୋଭାଯାତ୍ରା ପରେ ଘୋଡ଼ାନାଚ ଓ ବିଭିନ୍ନ ଲୋକପାରମ୍ପରିକ ନୃତ୍ୟ ମାଧ୍ୟମରେ ସାକ୍ଷରତାର ବାର୍ତ୍ତାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ପାରମ୍ପରିକ କଳା ଓ ସଂସ୍କୃତିକୁ ସଚେତନତାର ମାଧ୍ୟମ କରିବା ଫଳରେ କାର୍ଯ୍ୟକ୍ରମଟି ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।
ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଉପସ୍ଥିତ ଥିଲେ।
ସେହିପରି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଏବଂ ଏନ୍.ପି.ଏସ୍. ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବ ଭାରତ ସାକ୍ଷରତା ଅଭିଯାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପରିବେଷଣରେ ଶିକ୍ଷକ ଭାସ୍କର ସ୍ୱାଇଁ ଓ ସଞ୍ଜୟ କୁମାର ଦାଶଙ୍କ ବିଶେଷ ସହଯୋଗ ରହିଥିଲା। ଏଥିସହ ମହତପଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ବହୁ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।
ସାକ୍ଷରତା କେବଳ ପଢ଼ିବା ଓ ଲେଖିବାର ଦକ୍ଷତା ନୁହେଁ, ବରଂ ଏହା ଜୀବନକୁ ଜାଣିବା, ବୁଝିବା ଓ ଆତ୍ମନିର୍ଭର ହେବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ନେଇ ମହତପଲ୍ଲାର ଏହି ଅଭିନବ ପ୍ରୟାସ ନବ ଭାରତ ସାକ୍ଷରତା ଅଭିଯାନକୁ ଗ୍ରାମସ୍ତରରେ ଆହୁରି ସୁଦୃଢ଼ କରିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ପାଲଟିଛି।
