ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରସ୍ଥ ଲୋକ ନୋଡ଼ାଲ ବିଦ୍ୟପୀଠରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହ। ପ୍ରାରମ୍ଭରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କ୍ରୀଡ଼ାର ନିୟମ ମାନି କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଏ ଉଦ୍ଦେଶ୍ୟରେ ଆୟୋଜିତ କବାଡ଼ି ଓ ଫୁଟବଲ ପ୍ରତିଯୋଗିତାରେ ବିଭିନ୍ନ ଶ୍ରେଣୀର ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈକୁଣ୍ଠ ନାଥ ପ୍ରଧାନ, ମୋ ବିଦ୍ୟାଳୟ କମିଟିର ସଭାପତି ସନ୍ତୋଷ କୁମାର ପାଳ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ତଥା ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜିତ କବାଡ଼ି ପ୍ରତିଯୋଗୀତାରେ ନବମ ଶ୍ରେଣୀ ବିଜୟ ହାସଲ କରିଥିଲା ବେଳେ ଫୁଟବଲ ପ୍ରତିଯୋଗୀତାକୁ ଦଶମ ଶ୍ରେଣୀ ଜିତି ନେଇଥିଲା। ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ଜାତୀୟ କ୍ରୀଡ଼ା ଦିବସର ବିଶେଷତା ଉପରେ ଆଲୋକପାତ କରିଥିଲେ। କ୍ରୀଡ଼ା ଶିକ୍ଷକ ମନୋରଂଜନ ରାଉତ ଓ ଶୁଭେନ୍ଦୁ କୁମାର ପରିଡ଼ା କ୍ରୀଡ଼ା ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରେମାନନ୍ଦ ପାତ୍ର, ବାପିନା ବେହେରା, ମାନସ ରଂଜନ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ଶିକ୍ଷୟିତ୍ରୀ ଗଙ୍ଗୋତ୍ରୀ ପ୍ରଧାନ, ଆରାଧନା ଗୋୈଡ଼, ସୋନାଲିନ ନାୟକ, ମାଳତୀ ବେହେରା ଓ ମାଳତୀ ଦେଈ ପ୍ରମୁଖ ପ୍ରତିଯୋଗିତାରେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ।
ଲୋକ ନୋଡ଼ାଲ ବିଦ୍ୟାପୀଠରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
