ସୁନାଖଳା ଅଞ୍ଚଳରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମର ଚଢ଼ାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାର ସୁନାଖଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ, ନୟାଗଡ଼ ଶ୍ରୀ ନବ କିଶୋର ସାହୁ, ଡ୍ରଗ୍ସ ଇନ୍ସପେକ୍ଟର, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନୟାଗଡ଼ଙ୍କ ନେତୃତ୍ୱରେ ରଣପୁର ସର୍କଲର ଏକ ଅବକାରୀ ଟିମ୍ ଏବଂ ସୁନାଖଳା ପୋଲିସ ଟିମ୍ ଙ୍କ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଚଢ଼ାଉ ସମୟରେ ମୋଟ ୨୦ଟି ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସୁନାଖଳା ଅଞ୍ଚଳର  ବିନୋଦପଡ଼ା, ସୁନାଖଳା ମୁଖ୍ୟ ରାସ୍ତା, ଉପର ବଜାର, ଗୋପୀନାଥପୁର, ମେଡିକାଲ ଛକ ଆଦି ଜାଗାରେ ବିଭିନ୍ନ ହୋଲସେଲର୍ ଦୋକାନ, ହୋଟେଲ, ଫଳ ଦୋକାନ ଓ ଖୁଚୁରା ଦୋକାନ ଆଦିରେ କରାଯାଇଥିଲା l ଚଢ଼ାଉ ସମୟରେ ପ୍ରାୟ ୨୦ କିଲୋଗ୍ରାମ ତମାଖୁ ଜାତୀୟ ପଦାର୍ଥ ଜବତ କରାଯାଇ ନଷ୍ଟ କରା ଯାଇଥିଲା । COTPA ଆଇନ ଅନୁଯାୟୀ ତମାଖୁ ଜାତୀୟ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀଙ୍କଠାରୁ ମୋଟ ୧,୯୦୦/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଥି ସହିତ ବୈଧ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନଥିବାରୁ ୩ଟି ହୋଲସେଲର୍ ଏବଂ ଖୁଚୁରା ବ୍ୟବସାୟୀଙ୍କୁ  ନୋଟିସ୍ ପ୍ରଦାନ କରାଯାଇଥିଲା । ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଲାଇସେନ୍ସ ପ୍ରଦର୍ଶନ କରିନଥିବା ବ୍ୟବସାୟୀଙ୍କଠାରୁ ମୋଟ ୫,୦୦୦/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଚଢ଼ାଉ ସମୟରେ କେତେକ ଦୋକାନୀ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ସମ୍ପର୍କରେ ଜାଣି ଦୋକାନ ବନ୍ଦ କରିଦେଇଥିଲେ । ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ବାଧ୍ୟତାମୂଳକ ଭାବେ ବୈଧ ଖାଦ୍ୟ ସୁରକ୍ଷା ଲାଇସେନ୍ସ ରଖିବା ପାଇଁ କଡ଼ା ଚେତାବନୀ ଦିଆଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏହି ଅଞ୍ଚଳରେ ପୁନର୍ବାର ଏନ୍‌ଫୋର୍ସମେଣ୍ଟ ଟିମର ଚଢ଼ାଉ କରାଯିବ ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି/ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଥିଲା ।

Related posts