ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଏନ୍‌.ଏ.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମୁନିସିପାଲିଟି ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ମୋଟ ୧୨୧ ଜଣ ପ୍ରତିଯୋଗୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଭା ପ୍ରଦର୍ଶନରେ ପ୍ରତିଯୋଗିତାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା।ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ।

କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଏବଂ କାଉନସିଲର ଲକ୍ଷ୍ମୀଧର ମହାପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Related posts