ନୋତର ପଞ୍ଚାୟତର ୪୦୦ରୁ ଅଧିକ ବିଜେଡି କର୍ମୀ ବିଜେପିରେ ସାମିଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେଉଛନ୍ତି। ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବର୍ତ୍ତମାନର ସମିତି ସଭ୍ୟା ଗୋଲାପ ଦଳବେହେରା, ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଅଧିକ ବିଜେଡି କର୍ମୀ ଓ ୧୦ରୁ ଅଧିକ ବର୍ତ୍ତମାନର ୱାର୍ଡ ସଦସ୍ୟ ବିଜେଡି ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ନୟାଗଡ଼ ପଞ୍ଚାୟତ ସମିତିର ବର୍ତ୍ତମାନର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଜେପିର ବରିଷ୍ଠ ସଂଗଠକ ନାସିର ଅହମ୍ମଦ(ନସ ), ନୋତର ଗ୍ରା.ପ. ର ପୂର୍ବତନ ସରପଞ୍ଚ ବାପି ପଲେଇ, ପୂର୍ବତ୍ତନ ସରପଞ୍ଚ ତଥା ମଣ୍ଡଳ ପ୍ରତିନିଧି ରାଜ କିଶୋର ପ୍ରଧାନ ଓ ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ବହୁ ସଂଖ୍ୟକ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ଦଳୀୟ ନେତୃବୃନ୍ଦଙ୍କ ମତରେ, ଏହି ମିଶ୍ରଣ ପର୍ବ ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ ।

Related posts