ଚିରସ୍ରୋତା ବରକନ୍ୟା ଝରଣାର ବିକାଶ ଅଟକିଲା କାହିଁକି?

୪ କୋଟିରୁ ୩ କୋଟି ଟଙ୍କା ପଡ଼ିରହିଥିବା ଅଭିଯୋଗ, ସରକାର ଓ ବନ ବିଭାଗ ବିରୋଧରେ ଜନଅସନ୍ତୋଷ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ନିହଲପ୍ରସାଦ ଗ୍ରାମ ନିକଟରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିରସ୍ରୋତା ବରକନ୍ୟା ଝରଣାର ବିକାଶ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପର୍ଯ୍ୟଟନର ଅପାର ସମ୍ଭାବନା ଥିବା ସତ୍ତ୍ୱେ ସରକାର ଓ ବନ ବିଭାଗର ଅବହେଳା ଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବ ସରକାର ସମୟରେ ବରକନ୍ୟା ଝରଣାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ କେବଳ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଅବଶିଷ୍ଟ ୩ କୋଟି ଟଙ୍କା ବନ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ପଡ଼ି ରହିଥିବା ଅଭିଯୋଗ ହେଉଛି।

ରାଜ୍ୟରେ ନୂଆ ସରକାର ଗଠନ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବରକନ୍ୟା ଝରଣାର ବିକାଶ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଲୋକ ନିରାଶା ପ୍ରକାଶ କରିଛନ୍ତି। ବିକାଶ କାର୍ଯ୍ୟର ଦାୟିତ୍ୱ ବନ ବିଭାଗ ଉପରେ ଥିଲେ ମଧ୍ୟ ନୟାଗଡ଼ ବନଖଣ୍ଡ ଅଧିକାରୀ ଏହି ପ୍ରସଙ୍ଗରେ ଆଖି ବୁଜି ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ପଞ୍ଚାୟତରେ ଅବସ୍ଥିତ ଏହି ମନୋରମ ଝରଣାକୁ ପ୍ରତିଦିନ ଶହ ଶହ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ ପ୍ରକୃତିର ଅପରୂପ ଶୋଭା ଉପଭୋଗ କରିବା ପାଇଁ ଆସୁଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ସ୍ଥଳ, ପାନୀୟ ଜଳ, ଶୌଚାଳୟ, ସୁରକ୍ଷା ବ୍ୟବସ୍ଥା, ପାର୍କିଂ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଯୋଗୁଁ ସେମାନେ ନିରାଶ ହୋଇ ଫେରୁଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମତରେ, ବରକନ୍ୟା ଝରଣାର ସଠିକ୍ ବିକାଶ ହେଲେ ଏହା କେବଳ ନୟାଗଡ଼ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇପାରିବ ଏବଂ ସ୍ଥାନୀୟ ଯୁବକମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେବ।

ଏଣୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ତୁରନ୍ତ ବରକନ୍ୟା ଝରଣାର ବିକାଶ କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରି ଅବଶିଷ୍ଟ ଅର୍ଥ ବିନିଯୋଗ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଦାବି ପୂରଣ ନହେଲେ ଓଡ଼ଗାଁ ବ୍ଲକର ପ୍ରାୟ ୩୦ଟି ଗ୍ରାମର ଜନସାଧାରଣ ସରକାରଙ୍କ ବିରୋଧରେ ଗଣଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ମହଲରେ ଆଲୋଚନା ହେଉଛି।

Related posts