ରାହୁଲ ଗାନ୍ଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନୟାଗଡ଼ରେ କଂଗ୍ରେସର ବିକ୍ଷୋଭ, ମୋଦି-ଶାହଙ୍କ କୁଶପୁତ୍ତଳିକା ଦାହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବୁଧବାର ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା।

ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ନେତାମାନଙ୍କୁ ଅଟକ ରଖାଯାଇଥିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପୋଲିସ ଉଠାଇ ନେଇଥିବା ଘଟଣାର ମଧ୍ୟ ନିନ୍ଦା କରାଯାଇଥିଲା।

ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ବର୍ଷା ସତ୍ତ୍ୱେ କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କିସାନ ସେଲ ସଭାପତି ଅଭୟ ସାହୁ, ଡିସିସିର ବିଭିନ୍ନ ପଦାଧିକାରୀ, ବ୍ଲକ ଓ ଜୋନ ସଭାପତି, କଂଗ୍ରେସ ନେତା, ଯୁବ କର୍ମୀ ଏବଂ ଶତାଧିକ ସମର୍ଥକ ଯୋଗଦେଇଥିଲେ।

Related posts