ନୂଆଗାଁ, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ କ୍ଲଷ୍ଟରର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ତଥା ନୂଆଗାଁ ନିକଟସ୍ଥ ଭେଟପଲ୍ଲୀ ଗ୍ରାମର ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ ୟୁନିଅନ ପକ୍ଷରୁ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି ସହାୟତା ରାଶି ୟୁନିଅନର ସଦସ୍ୟମାନଙ୍କ ସହଯୋଗରେ ସଂଗ୍ରହ କରାଯାଇ ସ୍ୱର୍ଗତ ଯାନୀଙ୍କ ପରିବାର ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ୟୁନିଅନର କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ସେବାଭାବ, କର୍ତ୍ତବ୍ୟନିଷ୍ଠା ଏବଂ ମାନବିକତାକୁ ସ୍ମରଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ୟୁନିଅନ ପକ୍ଷରୁ କୁହାଯାଇଛି ଯେ, ୧୦୮ ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀମାନଙ୍କ ସୁଖ-ଦୁଃଖରେ ସଂଗଠନ ସଦା ସାଥୀ ହୋଇ ରହିବ। ସହକର୍ମୀଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ସହଯୋଗ କରିବା ସଂଗଠନର ନୈତିକ ଦାୟିତ୍ୱ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଥିବା ବେଳେ, ଶୋକସନ୍ତପ୍ତ ପରିବାର ପକ୍ଷରୁ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ ୟୁନିଅନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଯାଇଛି।
୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଶାନ୍ତ ଯାନୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ
