ଲୋକ ନୋଡ଼ାଲ ବିଦ୍ୟପୀଠରେ ‘ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା’

ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକଙ୍କ ଅନୁରୋଧ କ୍ରମେ ଶରଣକୁଳ ବିଦ୍ୟୁତ ବିଭାଗ ତରଫରୁ ଶିକ୍ଷାଦେବା ପାଇଁ ବିଶ୍ଵଭୂଷଣ ବିଷୋଇ, ସେଫ୍ଟି ଅଫିସର, ବିମଳ କୁମାର ଯାଦବ, ସେଫ୍ଟି ଅଫିସର, ରାମଚନ୍ଦ୍ର ସାହୁ, ଲାଇନ୍ସମାନ, ପ୍ରକାଶ ଚନ୍ଦ୍ର ମାନା, ଲାଇନ୍ସମାନ, ସୁଜିତ କୁମାର ପ୍ରଧାନ, ଲାଇନ୍ସମାନ ଓ ପ୍ରଦୀପ କୁମାର ସେନାପତି, ଲାଇନ୍ସମାନ ରିସୋର୍ସପର୍ସନ ତଥା ଅତିଥି ରୂପେ ଯୋଗ ଦେଇଥିଲେ। ସେମାନେ ବିଦ୍ୟୁତ ଜନିତ ଦୁର୍ଘଟଣାରୁ କେମିତି ରକ୍ଷା ପାଇବା ତାହା ଉପରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ଯୋଗ ଦେଇଥିବା ଜନସାଧାରଣଙ୍କୁ ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାଟିକାଲ ଶିକ୍ଷା ପ୍ରଦାନ କରିଥିଲେ।

ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ମନୋରଞ୍ଜନ ରାଉତଙ୍କ ନେତୃତ୍ଵରେ ବିଦ୍ୟୁତ ନିରାପତ୍ତା ସଚେତନତା ରାଲିରେ ଗ୍ରାମ ପରିକ୍ରମାରେ ବାହାରି ଥିଲେ। ବିଦ୍ୟୁତ ନିରାପତ୍ତା ରାଲି ବିଦ୍ୟାଳୟରୁ ବାହାରି ବିଦ୍ୟୁତ ନିରାପତ୍ତା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ପଞ୍ଚିରିଡା ମାନପୁର ଗ୍ରାମର ନୂଆସାହି, ମଝିସାହି ଓ ତଳସାହି ପରିକ୍ରମା କରିଥିଲା। ସାହି ଭିତରେ ଆୟୋଜିତ ପଥପ୍ରାନ୍ତ ସଭାରେ ଲୋକମାନଙ୍କୁ ତଥା ସାହିର ମାଆ ଭଉଣୀ ମାନଙ୍କୁ ବିଦ୍ୟୁତ ନିରାପତ୍ତା ଉପରେ ଆକର୍ଷଣୀୟ ଢ଼ଙ୍ଗରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ଗ୍ରାମର ଘରେ ଘରେ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ରାଲି ଫେରିବା ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦ୍ଵିତୀୟ ପଯ୍ୟାର୍ୟରେ ବିଦ୍ୟୁତ ନିରାପତ୍ତା ଉପରେ ପ୍ରକଳ୍ପ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।

ତା ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ବିଦ୍ୟୁତ ନିରାପତ୍ତା ଉପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ଅତିଥି ସ୍ବାଗତ ସଂଗୀତ ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ଅତିଥି ମାନଙ୍କର ସ୍ବାଗତ ତଥା ପରିଚୟ ପ୍ରଦାନ କରିଥିଲେ। ତାହା ପରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ନିରାପତ୍ତା ଉପରେ ଏକ କ୍ଷୁଦ୍ର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା।

ପରେ ପରେ ରିସୋର୍ସପର୍ସନମାନେ ସେମାନଙ୍କର ବକ୍ତବ୍ୟ ରଖି ବିଦ୍ୟୁତ ସମ୍ପକୀର୍ୟ ଦୁର୍ଘଟଣା ଓ ତତ୍ଜନିତ ବିପଦରୁ କିପରି ରକ୍ଷା ପାଇହେବ ବର୍ଣ୍ଣନା କରିଥିଲେ। ତାହା ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଓ ଅତିଥିମାନେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ପାତ୍ର, ବାପିନା ବେହେରା, ସ୍ମୃତି ରଂଜନ ରାଉତ, ମାନସ ରଂଜନ ସାହୁ, ଅଶୋକ କୁମାର ମହାପାତ୍ର, ରମେଶ କୁମାର  ମହାନ୍ତି, ଶୁଭେନ୍ଦୁ କୁମାର ପରିଡ଼ା, ମାଳତୀ ଦେଈ, ମାଳତୀ ବେହେରା, ଶିକ୍ଷୟିତ୍ରୀ ସୋନାଲିନ ନାୟକ, ଅଫିସ ସହାୟକ ଭବାନୀ ବାଘ, ଟୁନି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ କାର୍ଯ୍ୟକ୍ରମ ସଂଯୋଜନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Related posts