ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ; ୪୧ ୟୁନିଟ୍ ରକ୍ତଦାନ ସହ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ସେବା, ସାମାଜିକ ଦାୟିତ୍ୱବୋଧ ଓ ସାଙ୍ଗଠନିକ ଏକତାର ବାର୍ତ୍ତା ନେଇ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ କମ୍ ଡିଇଓମାନେ ସ୍ୱେଚ୍ଛାକୃତ ଭାବେ ୪୧ ୟୁନିଟ୍ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ।



ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ମୋନାଲିସା ସ୍ୱାଇଁ ଉଦ୍ଘାଟନ କରିଥିଲେ। ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ସମୟରେ ସଂଘ ପକ୍ଷରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ସଂଘ ପକ୍ଷରୁ ନୟାଗଡ଼ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ସାମାଜିକ ସେବା ପ୍ରତି ସଂଘର ଏହି ମହତ୍ ପଦକ୍ଷେପକୁ ଉପସ୍ଥିତ ସମସ୍ତେ ସ୍ୱାଗତ କରିଥିଲେ। ପରେ ଲେଙ୍କୁଡ଼ିପଡ଼ା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ସଂଘର କାର୍ଯ୍ୟପନ୍ଥା, ବାର୍ଷିକ କାର୍ଯ୍ୟକଳାପ ଓ ହିସାବର ସମୀକ୍ଷା କରାଯାଇଥିଲା। ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ମିଶ୍ରଙ୍କ ସମେତ ଜିଲ୍ଲାର ଆଠଟି ବ୍ଲକର ସଭାପତି, ସମ୍ପାଦକ ଓ କୋର୍ କମିଟିର ସଦସ୍ୟମାନେ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।

ସଂଘର ସକ୍ରିୟ ସଦସ୍ୟ ବାଦଲ ଷଡ଼ଙ୍ଗୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲାର ଆଠଟି ବ୍ଲକରୁ ମୋଟ ୧୩୧ ଜଣ ଆକାଉଣ୍ଟାଣ୍ଟ କମ୍ ଡିଇଓ ଏହି ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସାମାଜିକ ସେବା, ରକ୍ତଦାନ ଓ ସଂଗଠନର ସୁଦୃଢ଼ କାର୍ଯ୍ୟଧାରାକୁ ଆଧାର କରି ପାଳିତ ଏହି ବାର୍ଷିକ ଉତ୍ସବକୁ ବୁଦ୍ଧିଜୀବୀ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି।

Related posts