ବୃତଙ୍ଗ ଜଳସେଚନ ଯୋଜନା ବହୁବର୍ଷ ଆଗରୁ ହୋଇ ପାରିଥାନ୍ତା : କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ବୃତଙ୍ଗ ବୃହତ ଜଳସେଚନ ଯୋଜନା ୨0୧୨ ମସିହାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଅର୍ଥଶାସ୍ତ୍ରୀ ଡ଼. ମନମୋହନ ସିଂ ନେତୃତ୍ବାଧୀନ ୟୁପିଏ ସରକାର ଷ୍ଟେଜ ୱାନ ଜଙ୍ଗଲ ପରିବେଶ ମଞ୍ଜୁରୀ ଦେଲାପରେ ଷ୍ଟେଜ ଦୁଇ କ୍ଳିୟରାନ୍ସ ପାଇଁ ୧୪ ବର୍ଷ ଲାଗିଲା। ଯଦି ଆବଶ୍ୟକୀୟ ସର୍ତ୍ତାବଳୀ ବର୍ଷେ ଦୁଇବର୍ଷ ଭିତରେ ତତ୍କାଳୀନ ରାଜ୍ୟ ସରକାର ପୂରଣ କରିଥିଲେ ବୋଧହୁଏ ବହୁପ୍ରତକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ୧୪ ବର୍ଷ ତଳୁ ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରି ଥାନ୍ତା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି। ଜିଲ୍ଲାର ହଜାରହଜାର ଚାଷୀଙ୍କ ସ୍ୱାର୍ଥବିରୋଧି ଏବଂ ଜୀବନଜୀବିକା ସହିତ ଷଡଯନ୍ତ୍ର ପାଇଁ ବାସ୍ତବରେ ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଡିସିସି ସଭାପତି ଶ୍ରୀ ଦାଶ। ଜିଲ୍ଲାର ୩୦୯ଗ୍ରାମର ୨୩୩୦୦ ହେକ୍ଟର ଆୟାକଟ ଚାଷଜମି ଅନ୍ତର୍ଗତ ଚାଷୀଭାଇଙ୍କ ପ୍ରତି ଅନ୍ୟାୟ କରାଯାଇ ନୟାଗଡ଼ ଜିଲ୍ଲାର କୃଷିଭିତ୍ତିକ ଅର୍ଥନୈତିକ ବିକାଶକୁ ଯୋଜନାବଦ୍ଧ ଭାବେ ୧୪ ବର୍ଷ ପଛକୁ ନିଆଯାଇଛି ଜିଲ୍ଲା କଂଗ୍ରେସ ସଭାପତି ଡବଲଇଞ୍ଜିନ ସରକାରକୁ ଟାର୍ଗେଟ କରିଛନ୍ତି। ତଥାପି ବହୁ ବିଳମ୍ବରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାରଙ୍କ କ୍ୟାବିନେଟ ଅନୁମୋଦନ ପାଇଥିବାରୁ ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସରକାର କହିଥିବା ୩୦ମାସ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେଉଥିବା ୫୮ ବିସ୍ଥାପିତ ଗ୍ରାମବାସୀଙ୍କୁ ଆବଶ୍ୟକୀୟ ଆଇନ ଅନୁମୋଦିତ ଥଇଥାନ କ୍ଷତିପୂରଣୀ ପ୍ରଦାନ ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି।

Related posts