ଗୋଡିପଡା, (ନୟାଗଡ଼ ଦର୍ପଣ): ଗୋଡିପଡା ସ୍ଥିତ ସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘନଶ୍ୟାମ ରାଉତ ନୂତନ ପ୍ରଧାନ ଶିକ୍ଷକଭାବେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋଡିପଡା ସିଆରସିସି ବିଜୟ କୁମାର ପୃଷ୍ଟି ଓ ଆଙ୍ଗିସିଙ୍ଗି ସିଆରସିସି ରାଜେଶ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଶ୍ରୀ ରାଉତ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଶିକ୍ଷକ,ଶିକ୍ଷା ମହଲରେ ସୁପରିଚିତ। ସେ ଦୀର୍ଘ ୨୨ ବର୍ଷ ଧରି ସାରସ୍ୱତ ଲୋକ ବିଦ୍ୟାପୀଠ, କଜଲାଇପଲ୍ଲୀରେ ବିଜ୍ଞାନ ଶିକ୍ଷକ ଭାବେ ସଫଳତାର ସହ ଶିକ୍ଷକତା କରିଆସିଛନ୍ତି।
ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ରାଉତ କହିଥିଲେ ଯେ, ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ସହିତ ଗୁଣାତ୍ମକ ଶିକ୍ଷା ଓ ପାଠପଢ଼ାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ପୂର୍ବରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜିତ କୁମାର ପ୍ରଧାନ ନୂତନ ପ୍ରଧାନ ଶିକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ନୂତନ ପ୍ରଧାନ ଶିକ୍ଷକଙ୍କ ଅନୁଭବ, ଦୂରଦୃଷ୍ଟି ଓ ଶିକ୍ଷା ପ୍ରତି ନିଷ୍ଠା ବିଦ୍ୟାଳୟର ଉନ୍ନତିରେ ସହାୟକ ହେବ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆଶା ପ୍ରକାଶ କରିଛନ୍ତି। ତାଙ୍କ ଯୋଗଦାନକୁ ନେଇ ସମଗ୍ର ଗୋଡିପଡା ଅଞ୍ଚଳରେ ଖୁସିର ପରିବେଶ ଦେଖିବାକୁ ମିଳିଛି।
