ଅନାସ୍ଥା ପ୍ରସ୍ତାବ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି, ନହେଲେ ୧୭ରୁ ଅହୋରାତ୍ର ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ପ୍ରସଙ୍ଗରେ ନୟାଗଡ଼ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ନୟାଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରୁ ଅହୋରାତ୍ର ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଓ ସମିତି ସଭ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ନିୟମାନୁସାରେ ଶୀଘ୍ର ବୈଠକ ଡାକିବାକୁ ଦାବି କରିଥିଲେ।

ଜନପ୍ରତିନିଧିମାନଙ୍କ କହିବା ଅନୁଯାୟୀ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସମୟୋପଯୋଗୀ ଭାବେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହାର ବିଳମ୍ବକୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏପଟେ, ଦାବି ପ୍ରତି ଯଥାଶୀଘ୍ର ଦୃଷ୍ଟି ଦିଆନଗଲେ ଆସନ୍ତା ୧୭ ତାରିଖରୁ ଅହୋରାତ୍ର ଧାରଣା ଆରମ୍ଭ କରାଯିବ ବୋଲି ଆନ୍ଦୋଳନକାରୀ ଜନପ୍ରତିନିଧିମାନେ ସ୍ପଷ୍ଟ କରିଛନ୍ତି। ଘଟଣାକୁ ନେଇ ନୟାଗଡ଼ ବ୍ଲକ୍ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Related posts