ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସମବାୟ ସମିତି (ସୋସାଇଟି)ରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିରୀହ ଚାଷୀମାନଙ୍କ ନାମରେ ସେମାନଙ୍କ ଅଜାଣତରେ ଋଣ ଉଠାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁସାରେ, ଅନେକ ଚାଷୀ ନିଜ ନାମରେ ଋଣ ଉଠିଥିବା ସମ୍ପର୍କରେ କିଛି ଜାଣି ନଥିଲେ। ପରେ ବ୍ୟାଙ୍କ ଓ ସମବାୟ ସମିତିର ତଥ୍ୟ ଯାଞ୍ଚ କରିବା ପରେ ସେମାନଙ୍କ ନାମରେ ଋଣ ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଦୁଇ ଚାଷୀ ଥାନାରେ ଅଭିଯୋଗ କରିବାରୁ କିଛିଦିନ ତଳେ ସେହି ଚାଷୀଙ୍କ ଫେକ ଆକାଉଣ୍ଟରେ ଉଠାଯାଇଥିବା ଋଣ ଯଥା ଜଣଙ୍କର ୧ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣେ ଚାଷୀଙ୍କ ୮୪ହଜାର ଟଙ୍କା ଅବସର ଗ୍ରହଣ କରିଥିବା ସେକ୍ରେଟାରୀ ଏବଂ ସଭାପତି ଫେରାଇ ଥିବା ଜଣାପଡ଼ିଛି।
ଏହି ଘଟଣାରେ ସମିତିର ପୂର୍ବତନ ସେକ୍ରେଟାରୀ ଓ ସଭାପତିଙ୍କ ସମ୍ପୃକ୍ତି ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ସମ୍ପୃକ୍ତ ଅଧିକାରୀମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅନ୍ୟପକ୍ଷରେ, ପୀଡ଼ିତ ଚାଷୀମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଜିଲ୍ଲାର ସମବାୟ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ।
ସୋଲପଟା ସମବାୟ ସମିତିରେ ମହାଦୁର୍ନୀତି ଅଭିଯୋଗ, ଚାଷୀଙ୍କ ନାଁରେ ଋଣ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା
