୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ। ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍- ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ- ମୃତ୍ତିକା ସଂରକ୍ଷଣ, ଜଳ ସେଚନ ଓ କୃଷି, ସସ୍ମିତା ଦାଶ- ମହିଳା ଓ ଶିଶୁ ସୁରକ୍ଷା ଉପରେ ତଥ୍ୟ ସମ୍ବଳିତ ଉପସ୍ଥାପନା ରଖିଥିଲେ। ଡାକ୍ତର ଅରବିନ୍ଦ ଦାସ ସ୍ବାସ୍ଥ୍ୟ ସମସ୍ଯା ଏବଂ ଏହାର ସମାଧାନ ଉପରେ ଏକ ଆକର୍ଷଣୀୟ ବିବରଣୀ ପ୍ରଦାନ କରିଥିଲେ।

ଶ୍ରୀକୁମାର ରଥ, ଜ୍ଞାନ ପ୍ରକାଶ ବାରିକ, ହାଡ଼ିବନ୍ଧୁ ମହାଖୁଡ଼, କମ୍ରେଡ୍ ବିଶ୍ବନାଥ ମହାପାତ୍ର, ଶ୍ରୀଧର ସାହୁ, ବିଘ୍ନେଶ୍ୱର ବେହେରା, କାମାକ୍ଷା ପ୍ରସାଦ ଦାଶ ଓ ଗୋକୁଳ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନାଚକ୍ରକୁ ଶିକ୍ଷଣୀୟ କରିଥିଲେ।  ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମରେ, ଆଲୋଚନାର ନିର୍ଯ୍ଯାସକୁ ନେଇ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ, ଜିଲ୍ଲା ଶାଖା ମଧ୍ୟରେ ଏହି ଉପାଦେୟ ଆଲୋଚ୍ଯ ତଥ୍ଯର ସମନ୍ଵୟ ରକ୍ଷା କରିବା ନିମନ୍ତେ ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ନିରୁପମା ଖଟେଇ ଏବଂ ସଭାପତି ଶ୍ରୀମତୀ ବସିରନ୍ ବିବି ଏହି ଆଲୋଚନାଚକ୍ରର ଉପାଦେୟତା, ସମାଜ ଉପକାର ସହିତ ୨୦୩୬ ରେ ବିକଶିତ ଓଡି଼ଶା ଗଠନର ଏକ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ। ପରିଶେଷର ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts