“ଫଗୁରେ ଫଗୁରେ ଫାଲଗୁନି” ପୁସ୍ତକ ଉନ୍ମୋଚନ ଉତ୍ସବ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଜଗାପୁର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ତଥା ଏକ ମନୋଜ୍ଞ ପରିବେଶରେ ବିଶିଷ୍ଟ ସାହିତ୍ୟିକ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନୂତନ ଉପନ୍ୟାସ “ଫଗୁରେ ଫଗୁରେ ଫାଲଗୁନି” ଲୋକାର୍ପିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ବୃଦ୍ଧି କରିଥିଲା।  ଉତ୍ସବର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ପୁସ୍ତକର ପ୍ରକାଶନ ସଂସ୍ଥା ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବାପରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପୁସ୍ତକଟିକୁ ସୁନ୍ଦର ଭାବରେ ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିଲେ ସମୀକ୍ଷକ ପ୍ରଫେସର ଡ଼ ଆଶୁତୋଷ ମିଶ୍ର । ଡ.ମିଶ୍ରଙ୍କ ଉପସ୍ଥାପନା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ଡ଼.ଶିଶିର କୁମାର ଦାସ, ସମ୍ମାନିତ ଅତିଥିଭାବେ ବର୍ଷିୟାନ୍ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରା , ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଅଭିନେତା ବିକ୍ରମ ଦାସ ଯୋଗଦେଇଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ନୂତନଭାବେ ପ୍ରକାଶିତ ପୁସ୍ତକକୁ ପ୍ରଥମେ ତାଙ୍କର ଶିକ୍ଷା ଗୁରୁ ଅଲେଖ ଚନ୍ଦ୍ର ବେହେରାଙ୍କୁ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ତଥା ସାହିତ୍ୟପ୍ରେମୀ ଯୋଗ ଦେଇଥିବାର ଦେଖା ଯାଇଥିଲା।

Related posts