ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆଶାର ନୂଆ କିରଣ ସୃଷ୍ଟି ହୋଇଛି। ଆଜି ରୋହିବାଙ୍କ ଗ୍ରାମବାସୀ ଓ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ସହଯୋଗରେ ୩୦ରୁ ଅଧିକ ପୁରୁଷ ଓ ମହିଳା ଓଡ଼ଗାଁ ତହସିଲଦାର ଡଃ ମାନସ ରଞ୍ଜନ ଭୋଇଙ୍କୁ ଭେଟି ପ୍ରାୟ ୨.୪୭ ଏକର ସମେତ ମୋଟ ୯ ଏକରରୁ ଊର୍ଦ୍ଧ୍ୱ ଜମି ସମ୍ପର୍କିତ ନଥିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି, ରୋହିବାଙ୍କ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ଜମି ଥିଲେ ମଧ୍ୟ ଦୀର୍ଘଦିନ ଧରି ସାବକ ପଟ୍ଟା ଓ କବଲା ଆକାରରେ ରହିଥିବାରୁ ବିଦ୍ୟାଳୟ ନାମରେ ରେକର୍ଡ ହୋଇପାରିନଥିଲା।
ଏନେଇ ରୋହିବାଙ୍କ ଗ୍ରାମବାସୀ ପୂର୍ବତନ ଲୋକସଭା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଲିଖିତ ଭାବେ ଅବଗତ କରାଇବା ସହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଦରଖାସ୍ତ ଦେଇଥିଲେ। ପୂର୍ବତନ ସାଂସଦଙ୍କ ଉଦ୍ୟମକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ନଂ-୩୦୧୮୮, ତା. ୧୧.୧୧.୨୦୨୫, ଏସ୍ପିଡି, ଓସେପାଙ୍କ ଚିଠି ନଂ-୪୪୪୮, ତା. ୦୯.୦୪.୨୦୨୬ ଏବଂ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଚିଠି ନଂ-୧୦୪୮, ତା. ୨୦.୦୪.୨୦୨୬ ଅନୁଯାୟୀ ଆବଶ୍ୟକ ଜମିର ତଥ୍ୟ ପ୍ରଦାନ ପାଇଁ ବିଦ୍ୟାଳୟକୁ କୁହାଯାଇଥିଲା।
ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକ ବିଦ୍ୟାଳୟ ନାମରେ ଥିବା ମାତ୍ର ୧.୨୦ ଏକର ଜମି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ପ୍ରାୟ ୫୦ ବର୍ଷ ପୂର୍ବେ ବିଦ୍ୟାଳୟ ନାମରେ ଦାନସୂତ୍ରେ ପ୍ରଦାନ କରାଯାଇଥିବା ଜମିଗୁଡ଼ିକ ଏପର୍ଯ୍ୟନ୍ତ ବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ ହୋଇନଥିବା ଗ୍ରାମବାସୀମାନେ ଦର୍ଶାଇଛନ୍ତି।
ଏହି ଜମିଗୁଡ଼ିକ ମଧ୍ୟରେ ଆଦି ସୁବୁଦ୍ଧିଙ୍କ ୨୮ ଡିସିମିଲି, ଅରକ୍ଷିତ ପ୍ରଧାନଙ୍କ ୯୮ ଡିସିମିଲି, ଦାଶ ପ୍ରଧାନଙ୍କ ୧୨ ଡିସିମିଲି, ପୁରୁଷୋତ୍ତମ ନାୟକଙ୍କ ୧ ଏକର, ଲଡ଼ୁ ପ୍ରଧାନଙ୍କ ୨୨ ଡିସିମିଲି, ରାମଚନ୍ଦ୍ର ପ୍ରଧାନଙ୍କ ୫୩ ଡିସିମିଲି, ସାରଦା ଦେବୀଙ୍କ ୩୫ ଡିସିମିଲି, ଅମୁଲ୍ୟ ପ୍ରଧାନଙ୍କ ୧.୫୦ ଏକର, ଅରି ପ୍ରଧାନ, ଶ୍ୟାମ ପ୍ରଧାନ ଓ ଫକୀର ପ୍ରଧାନଙ୍କ ୩୭ ଡିସିମିଲି ଜମି ରହିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।
ଏହି ସମସ୍ତ ସାବକ କବଲାକୁ ବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ କରିବା ପାଇଁ ଦାନଦାତାଙ୍କ ଉତ୍ତରାଧିକାରୀଙ୍କ ଦସ୍ତଖତ ସମେତ ରୋହିବାଙ୍କ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରାଙ୍କ ଦସ୍ତଖତ ଥିବା ୨୦୦ରୁ ଅଧିକ ଲୋକଙ୍କ ଦରଖାସ୍ତ ତହସିଲଦାର ଡଃ ଭୋଇଙ୍କୁ ପ୍ରଦାନ କରାଯାଇଥିଲା।
ଜମିଗୁଡ଼ିକୁ ବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀମାନେ ଖୁସି ପ୍ରକାଶ କରିଥିଲେ। ଏହାପରେ ତହସିଲଦାର ଡଃ ମାନସ ରଞ୍ଜନ ଭୋଇ ତୁରନ୍ତ କୋମଣ୍ଡ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ ନାୟକଙ୍କୁ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ ଓ ପ୍ରଦାନ ପାଇଁ ପଠାଇଥିବା ଜଣାପଡ଼ିଛି।
ରୋହିବାଙ୍କ ଗ୍ରାମ ସଭାପତି କୃଷ୍ଣ ମାହାଙ୍କୁଡ଼, ସୁରେନ୍ଦ୍ର ସେଠୀ, ମୀନାକ୍ଷୀ ପାତ୍ର, ଗୋଲାପ ମାହାଙ୍କୁଡ଼, ଦୁଲାରାମ ସୋରେନ, ଦେବରାଜ ନାୟକ, କୁନି ମାହାଙ୍କୁଡ଼, ବୁଲୁ ନାୟକ, ରାଧାଗୋବିନ୍ଦ ନାୟକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି ଓ ସମସ୍ତ ସଭ୍ୟସଭ୍ୟା, ଶିକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖଙ୍କ ମିଳିତ ସହଯୋଗରେ ରୋହିବାଙ୍କରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନର ଆଶା ଉଜ୍ଜୀବିତ ହୋଇଛି।

