ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଳ୍ୟରେ “ମଇ ଦିବସ / ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬” ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରଣପୁର ବିଧାୟିକା ତଥା ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଏବଂ ବରିଷ୍ଠ ଓକିଲ ଦଣ୍ଡପାଣି ମହାନ୍ତି ଯୋଗଦାନ କରିଥିଲେ।

ଏଥିସହିତ ନୟାଗଡ ଜିଲ୍ଲାର ବିଭିନ୍ନ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ୪୦୦ରୁ ଅଧିକ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହରେ ମୋଟ ୪୩୭ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୧,୯୮,୭୦,୮୦୦.୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ- ୨୧୩ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦରେ ୧୮,୪୫,୮୦୦.୦୦ ଟଙ୍କା, ୧୫୨ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦରେ ୭୫,୫୦,୦୦୦ ଟଙ୍କା, ୩୭ଜଣ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୧,୦୩,୦୦,୦୦୦. ୦୦ ଟଙ୍କା, ୩୫ ଜଣ ପରିବାରବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୧,୭୫,୦୦୦.୦୦ ଟଙ୍କା ପ୍ରଦାନ କରାଯାଇଛି।ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୩୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ମଧ୍ୟ ନୂତନ କାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ, କଲ୍ୟାଣ(ଭାରପ୍ରାପ୍ତ) ତେଜ କୁମାର ବାଗେଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଶ୍ରମ ଅଧିକାରୀ ମାନେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ।
