ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧିନ କ୍ରୀଦାସପୁର ଗ୍ରାମ ପଞ୍ଚାୟତର ଜେମାଦେଇପୁର ଗ୍ରାମର ଯୁବ ବୈଜ୍ଞାନିକ ତଥା କୀଟ ପତଙ୍ଗ ଗବେଷକ ଆଶୀର୍ବାଦ ତ୍ରିପାଠୀ ଏକ ବିରଳ ପ୍ରଜାତିର ବୁଢିଆଣୀ ଆବିଷ୍କାର କରି ଦେଶସାରା ଚର୍ଚ୍ଚାରେ ଥାଇ ଜାତୀୟ ଗଣମାଧ୍ୟମରେ ମୁଖରିତ ହୋଇଛନ୍ତି। ପ୍ରକାଶ ଥାଉକି ଆଶୀର୍ବାଦ ତ୍ରିପାଠୀ ଓଡ଼ିଶାରୁ ଉଚ୍ଚ ଶିକ୍ଷା ଲାଭକରି ବର୍ତ୍ତମାନ୍ ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନରେ ଅବସ୍ଥିତ ଭାରତ ସରାକରଙ୍କ ଜାତୀୟ ଜଙ୍ଗଲ ଓ ପରିବେଶ ଗବେଷଣା କେନ୍ଦ୍ରରେ ଆମ ପରିବେଶରେ ଦେଖାଦେଉଥିବା କୀଟ ପତଙ୍ଗ ଉପରେ ଗବେଷଣା କରୁଥିବା ବେଳେ ବିଶେଷ କରି ପିମ୍ପୁଡ଼ି ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତି ଉପରେ ଗବେଷଣା କରି ପି.ଏଚ୍.ଡି କରୁଛନ୍ତି। ନିକଟରେ ଗବେଷଣାଗାର ତରଫରୁ ପିମ୍ପୁଡ଼ି ଉପରେ ଅଧିକ ଗବେଷଣା ପାଇଁ ହିମାଳୟ ପାଦ ଦେଶରେ ଥିବା କେଦାରନାଥ ଅଭୟାରଣ୍ୟକୁ ଶ୍ରୀମାନ୍ ତ୍ରିପାଠୀଙ୍କୁ ପଠାଯାଇଥିଲା।

ଅଭୟାରଣ୍ୟରେ ନିଜର ଅନୁସନ୍ଧାନ ଜାରି ରଖିଥିବା ବେଳେ ଏକ ଭିନ୍ନ ପ୍ରଜାତିର ବୁଢିଆଣୀ ଉପରେ ତାଙ୍କର ନଜର ପଡ଼ିଲା। ଦେଖିବାକୁ ଫିକା ସବୁଜ ରଙ୍ଗ, ଦେହଟା ରେଡିଅମ୍ ପରି ଚମକ, ଗୋଡ଼ ସରୁ ଓ ଲମ୍ବା ଏବଂ ପିଠିରେ ରହିଛି ନାଲି, କଳା ସହିତ ଧଳା ରଙ୍ଗର ଛୋଟ ଛୋଟ ଚିତ୍ର। ଟିକେ ଭଲ ଭାବରେ ଦେଖିଲେ ଲାଗୁଛି ହାପି ଫେସ୍ ଅର୍ଥାତ୍ ଖୁସି ମୁହଁ ପରି। ଏହି ବିରଳ ପ୍ରଜାତିର ବୁଢିଆଣୀ ସାଧାରଣତଃ ହାୱାଇ ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳନ୍ତି। ଏହି ବୁଢିଆଣୀ ନିଜର ରଙ୍ଗ ପରିବର୍ତ୍ତନ କରିବାର କ୍ଷମତା ରଖିଥିବାରୁ ସହଜେ ଅନ୍ୟ ସରୀସୃପ, ଶିକାରୀ ବୁଢିଆଣୀ ଓ ପକ୍ଷୀଙ୍କର ନଜରକୁ ଆସନ୍ତି ନାହିଁ। ଏମାନେ ବିଷାକ୍ତ ବୁଢିଆଣୀ ନୁହନ୍ତି। ଶ୍ରୀମାନ୍ ତ୍ରିପାଠୀ ଯେତେବେଳେ ଏହି ବୁଢିଆଣୀର ଅନୁସନ୍ଧାନ ପାଇଲେ, ତୁରନ୍ତ ତାଙ୍କର ସହଯୋଗୀ ତଥା ଭୁବନେଶ୍ୱରରେ ଅବସ୍ଥିତ ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ କାର୍ଯ୍ୟରତ ବୈଜ୍ଞାନିକ ଦେବୀ ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରିଥିଲେ। ଉଭୟଙ୍କ ମିଳିତ ଉଦ୍ୟମରେ କିଛି ହାପୀ ଫେସ୍ ବୁଢିଆଣୀକୁ ଓଡ଼ିଶାର ଆଞ୍ଚଳିକ ସଂଗ୍ରହାଳୟକୁ ଅଣାଯାଇଥିଲା।

ଓଡ଼ିଶାର ପାଣି ପବନରେ ଏମାନେ ବଞ୍ଚି ପାରିବେ କି ନାହିଁ ! ଯଦି ବଞ୍ଚନ୍ତି ତେବେ ଏମାନଙ୍କ ବଂଶ ବିସ୍ତାର କରାଯାଇ ଲାଇଫ ସାଇନ୍ସ ଶିକ୍ଷା ପାଇଁ ଉପଯୋଗ କରାଯାଇ ପାରିବ ବୋଲି ଉଭୟ ମତ ଦେଇଛନ୍ତି। ଗଞ୍ଜାମ ଜିଲାର ଗୋପାଳପୁର ଠାରେ ଥିବା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆରେ ଏହି ବୁଢିଆଣୀକୁ “ହିମାଲୟାନ ହାପୀଫେସ୍ ବୁଢିଆଣୀ” ନାମରେ ପଞ୍ଜିକୃତ କରଯାଇଛି। ଯଦି ଏମାନଙ୍କ ବଂଶ ବିସ୍ତାର ସମ୍ଭବ ହୁଏ ତେବେ ନନ୍ଦନକାନନ କିମ୍ବା ଅନ୍ୟ ଯେ କୌଣସି ସଂଗ୍ରହାଳୟରେ ଏମାନଙ୍କ ଉପରେ ଅଧିକ ଗବେଷଣା କରାଯାଇ ପାରିବ ବୋଲି ଆଶୀର୍ବାଦ ମତ ଦେଇଛନ୍ତି। ଶ୍ରୀମାନ୍ ଆଶୀର୍ବାଦ ଜେମଦେଇପୁର ନିବାସୀ ତଥା ଅବସରପ୍ରାପ୍ତ ସେନା ଅଧିକାରୀ ବିଭୁଦେନ୍ଦ୍ର ତ୍ରିପାଠୀ ଓ ସୁଗୃହିଣୀ ତପୋସ୍ଵିନୀ ତ୍ରିପାଠୀଙ୍କ ଜ୍ୟେଷ୍ଠ ପୁତ୍ର ହୋଇଥିବା ବେଳେ ଅଵସରପ୍ରାପ୍ତ ବନଖଣ୍ଡ ଅଧିକାରୀ ସ୍ବର୍ଗତ ଜଗନ୍ନାଥ ମହାପାତ୍ର ଓ ନୟାଗଡ଼ର ସ୍ୱନାମଧନ୍ୟ ଦନ୍ତ ଚିକିତ୍ସକ ସ୍ବର୍ଗତ ଆର୍ତ୍ତତ୍ରାଣ ମିଶ୍ରଙ୍କ ନାତି ଅଟନ୍ତି। ଶ୍ରୀମାନ୍ ଆଶୀର୍ବାଦ ଙ୍କ ବିରଳ ଆବିଷ୍କାର ଉପରେ ଦେଶବ୍ୟାପୀ ଚର୍ଚ୍ଚା ଜାଣି ନୟାଗଡ଼ ଅଞ୍ଚଳରେ ଖୁସିର ଲହରୀ ବ୍ୟାପୀ ଯାଇଛି।

