ଇଣ୍ଡି ମେଣ୍ଟର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂସଦରେ ମହିଳା ବିଲ୍‌କୁ ବିରୋଧୀ ଦଳମାନେ ବାଧାପ୍ରାପ୍ତ କରିବା ପରେ, ସେମାନଙ୍କର ଅସଲ ଚେହେରା ଓ ମହିଳା ବିରୋଧୀ ମାନସିକତାକୁ ଜନସାଧାରଣଙ୍କ ସମ୍ମୁଖରେ ଉଜାଗର କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ନୟାଗଡ଼ ପୁରୁଣା ରାଜବାଟୀ ପରିସରରେ ନୟାଗଡ଼ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

• ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡିକୁ ବିରୋଧ କରି କଂଗ୍ରେସ ସମାଜବାଦୀ ପାର୍ଟି, ଟିଏମସି (TMC) ଏବଂ ଡିଏମକେ (DMK) ଦେଶର ଅଧା ଜନସଂଖ୍ୟାକୁ ବିଶ୍ବାସଘାତକତା କରିଛନ୍ତି ଏବଂ ସେମାନଙ୍କର ମହିଳା-ବିରୋଧୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ
ପଦାରେ ପକାଇଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ ବରଂ ଏହା ସେମାନଙ୍କର ସ୍ବାଭାବିକ ଅଧିକାର। ଯେଉଁମାନେ ଏହି ଐତିହାସିକ ସୁଯୋଗକୁ ବାଧାପ୍ରାପ୍ତ କରିଛନ୍ତି, ଆଗାମୀ ନିର୍ବାଚନରେ ସେମାନେ ମହିଳାମାନଙ୍କ ପ୍ରବଳ କ୍ରୋଧର ସମ୍ମୁଖୀନ ହେବେ।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିରୋଧୀଙ୍କ ମିଥ୍ୟାକୁ ପଦାରେ ପକାଇବା ସହ ସ୍ପଷ୍ଟ କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ (delimitation) ଦ୍ୱାରା କୌଣସି ରାଜ୍ୟର କ୍ଷତି ହେବ ନାହିଁ; ବରଂ ଦକ୍ଷିଣ ଭାରତର ଆନୁପାତିକ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ ଏବଂ ଏଥ‌ିରେ ବୃଦ୍ଧି ଘଟିବ ।
ସମାଜବାଦୀ ପାର୍ଟି ଭଳି ବିରୋଧୀ ଦଳଗୁଡ଼ିକ ଏହି ପ୍ରକ୍ରିୟାକୁ ବିଳମ୍ବ କରିବା ପାଇଁ କୋଟା ଭିତରେ ଧର୍ମଭିଭିକ ସଂରକ୍ଷଣର ଅସାମ୍ବିଧାନିକ ଦାବି ଉପସ୍ଥାପନ କରୁଛନ୍ତି, ଯାହାକି ତୁଷ୍ଟିକରଣ ଏବଂ ପ୍ରସଙ୍ଗକୁ ବିଭ୍ରାନ୍ତ କରିବାର ଏକ ବୈଷୟିକ ବାହାନା ମାତ୍ର।

ଭାରତୀୟ ଜନତା ପାର୍ଟି ମହିଳା ସଶକ୍ତିକରଣ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଏବଂ ମହିଳାମାନେ ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇବା ପର୍ଯ୍ୟନ୍ତ ଏହି ମହିଳା-ବିରୋଧୀ ଶକ୍ତିମାନଙ୍କ ସହ ଦୃଢତାର ସହ ଲଢ଼ିବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦିକା ସ୍ମୃତି ପଟ୍ଟନାୟକ, ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ରାଜ୍ୟ ବିଜେପି ର ସଦସ୍ୟା ତଥା ସମାଜସେବୀ ମନୀଷା ଜେନା, ପୂର୍ବତନ ଜିଲ୍ଲା ସଭାପତି, ବିଜେପି ନୟାଗଡ଼, ସନ୍ୟାସୀ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଲକ୍ଷ୍ମୀପ୍ରିୟା ତରାଇ,  ସମ୍ପାଦକ, ବିଜେପି ନୟାଗଡ଼ ଜିଲ୍ଲା କମିଟି ସାରଳା ସାମନ୍ତରାୟ, ଉପ ସଭାପତି, ନୟାଗଡ଼ ଜିଲ୍ଲା କମିଟି, ବିଜେପି ମାଧବ ବେହେରା, ସମ୍ପାଦକ, ବିଜେପି ନୟାଗଡ଼ ଜିଲ୍ଲା କମିଟି, ରୀଙ୍କିନା ଗୌଡ଼ ପ୍ରମୁଖ ଯୋଗ ଦେଇ ବିରୋଧୀ ଦଳଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଅଣାଯାଇଥିବା ଐତିହାସିକ ବିଲ୍‌କୁ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀମାନେ ଅଟକାଇ ରଖିଛନ୍ତି। ଏହା ଭାରତର ୭୦ କୋଟି ମହିଳାଙ୍କ ପ୍ରତି ଏକ ଅପମାନ ବୋଲି ନେତୃ ବୃନ୍ଦ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବିଜେପିର ବରିଷ୍ଠ ସଦସ୍ୟ ନସିର ଅହମ୍ମଦ ପରିଚାଳନା କରିଥିଲେ।

Related posts