ରୋହିବାଙ୍କ ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମରେ ସ୍ଥାନୀୟ ଗ୍ରାମର ରାଧାଗୋବିନ୍ଦ ନାୟକ ଓ ରୋହିବାଙ୍କ ଗ୍ରାମବାସୀଙ୍କ ସହଯୋଗରେ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପଞ୍ଚୁଦଣ୍ଡ ମଧ୍ୟରୁ ସ୍ଥାନୀୟ ଗ୍ରାମର ବାବା ଚଣ୍ଡେଶ୍ୱର ମହାଦେବ, ପନ୍ତିଖାରୀଶାସନ ଗ୍ରାମର ନୀଳକଣ୍ଠେଶ୍ଵର ମହାଦେବ, ଗଞ୍ଜାମ ଜିଲ୍ଲା ଭାବସରର ମା ଦଣ୍ଡକାଳୀ, ଖଙ୍ଗାରପଲ୍ଲୀର ବାବା ଗୁପ୍ତେଶ୍ୱର ଓ ଚେମେଡି ଗ୍ରାମର ବାବା ସ୍ଵପ୍ନେଶ୍ଵର ଆଦି ପଞ୍ଚୁଦଣ୍ଡ ଠାକୁରଙ୍କୁ ସକାଳ 7 ରେ ଫୁଲ ଚନ୍ଦନ ଦେଇ ବରଣ କରିଥିଲେ କର୍ତ୍ତା ଶ୍ରୀ ନାୟକ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମପରିକ୍ରମା ସାଙ୍ଗକୁ ବିଭିର୍ଣ୍ଣ ସ୍ଥାନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା। ରୋହିବାଙ୍କ ଗ୍ରାମ ସଭାପତି ରାଜେଶ କୁମାର ସୁବୁଦ୍ଧି ଓ ସମ୍ପାଦକ କାହ୍ନୁଚରଣ ଗୌଡ଼ଙ୍କ ଦ୍ୱାରା ଗଠିତ ଗ୍ରାମର ସ୍ବେଛାସେବୀମାନେ ଶାନ୍ତିଶୃଙ୍ଖଳା ରକ୍ଷାକରି ଗ୍ରାମବାସୀଙ୍କ ଦ୍ୱାରା ପ୍ରାୟ ୨୦ହଜାରରୁ ଅଧିକ ଲୋକମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିବାବେଳେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ତରଫରୁ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା।  ଖାଲି ସେତିକି ନୁହେଁ ବିଭିନ୍ନ ଅନୁଷ୍ଠାନ ଓ ଯୁବ ଗୋଷ୍ଠୀଙ୍କ ଦ୍ୱାରା ପଣା ବଣ୍ଟନ ସାଙ୍ଗକୁ ତରଭୁଜ ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଥିବାବେଳେ ପ୍ରତି ଦଣ୍ଡର ସଭାପତି ଓ ମ୍ୟାନେଜରଙ୍କୁ ଉତ୍ତରୀୟ ଦେଇ ଗ୍ରାମବାସୀ ଓ କର୍ତ୍ତାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

Related posts