ନୟାଗଡ଼, (ନୟାଗଡ଼ ଦର୍ପଣ): ନଭେମ୍ବର ୨୬ ଜାତୀୟ ସମ୍ବିଧାନ ଦିବସରେ ସର୍ବଭାରତୀୟ ଆହ୍ଵାନ କ୍ରମେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ ସହିତ କୃଷକ ବିରୋଧୀ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ତ୍ତ ଡାକବଙ୍ଗଳା ଠାରୁ ଶତାଧିକ ଆଶାକର୍ମୀ, ପାଚିକା ସହାୟିକା, ନିର୍ମାଣ ଶ୍ରମିକ, କୃଷକ ପଟୁଆର କରି କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ସଂଗଠିତ କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ଶ୍ରମ ଆଇନ ପୁନଃ ପ୍ରଚଳନ କରିବା, ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ ଦିନ କାମ ସହିତ ଦୈନିକ ମଜୁରୀ ଟ୭୦୦ କରିବା, ସ୍କିମ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୨୬ ହଜାର ବେତନ ଓ ୧୦୦୦ ଟଙ୍କା ପେନସନ, ଚାଷୀ ଫସଲ ପାଇଁ ସର୍ବନିମ୍ନ ସହାୟକ ଦରର ଗ୍ୟାରେଣ୍ଟି ଦେବା, ଚିନିକଳ ଚାଲୁକରିବା, ଦରଦାମ ନିୟନ୍ତ୍ରଣ କରିବା ଇତ୍ୟାଦି ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତିନିଧି ମଣ୍ଡଳୀଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା।
ମୋଦି ସରକାର କ୍ଷମତାକୁ ଆସିବା ପରେ ନୂତନ କୃଷିନୀତି ନାମରେ କୃଷିକ୍ଷେତ୍ରକୁ ଘରୋଇକରଣ କରିବା, ଶ୍ରମକୋଡ ପ୍ରଚଳନ କରି ଶ୍ରମିକ ଶ୍ରେଣୀକୁ ଅଧିକାରରୁ ବଞ୍ଚିତ କରିବା, ଆକାଶଛୁଆଁ ଦରବୃଦ୍ଧି କରି ସାଧାରଣ ଖାଉଟିଙ୍କୁ ଆର୍ଥିକ ଆକ୍ରମଣ କରିବା, ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରି ବେରୋଜଗାରୀ ବୃଦ୍ଧି କରିବା ଭିତରେ ନିଜର ଜନବିରୋଧୀ ଚେହେରାକୁ ପ୍ରକଟିତ କରିଥିବାରୁ ଏହାର କଟୁ ସମାଲୋଚନା କରି ବ୍ୟାପକ ଗଣ ଆନ୍ଦୋଳନର ଆହ୍ଵାନ ଦେଇଥିଲେ ଶ୍ରମିକ ଓ କୃଷକ ନେତାମାନେ। ବରିଷ୍ଠ ସଙ୍ଗଠକ ବିଶ୍ଵନାଥ ମହାପାତ୍ର, ସୁରେଶ ଚନ୍ଦ୍ର ସ୍ଵାଇଁ, ଶରତଚନ୍ଦ୍ର ବେହେରା, ନିତ୍ୟାନନ୍ଦ ପରିଡା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, ମଙ୍ଗୁଳୀ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
