ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ପାଠପଢା କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାଯ୍ୟ ଗତ ଏକ ବର୍ଷ ତଳୁ ଶେଷ ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରା ଯାଉନାହିଁ। ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଉ ଥିଲେ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ। ସୂଚନା ଯୋଗ୍ୟ ଯେ ୱାର୍ଡ଼ ନଂ-୧୩ ରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ତାହା ନୂଆ ରାଜବାଟୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଚାଲୁ ରହିଛି। ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ୬ଟି ଶ୍ରେଣୀର ପିଲାମାନେ ଏହି ଦୁଇଟି କୋଠରୀରେ ହିଁ ପାଠ ପଢ଼ିଥାନ୍ତି। ଏହି ଦୁଇଟି ଶ୍ରେଣୀ ଗୃହରେ ପାଠ ପଢ଼ା ହେବା ସହିତ ମଧ୍ୟାହ୍ନ ଭୋଜନ ଚାଉଳ, ପିଲାମାନଙ୍କ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ ତଥା ବିଦ୍ୟାଳୟର ଆସବାବପତ୍ର ଆଦି ମଧ୍ୟ ରହିଥାଏ।
ତେବେ ବିଦ୍ୟାଳୟରେ ଆଉ ଶ୍ରେଣୀ କୋଠରୀ ନଥିବାରୁ ଅଙ୍ଗନବାଡି କେନ୍ଦ୍ରଟି ବିଦ୍ୟାଳୟର ଅଫିସ ଗୃହରେ ହିଁ ଚାଲିଛି। ସେହିପରି ବିଦ୍ୟାଳୟର ନିଜସ୍ୱ ରୋଷଇ ଘର ନଥିବାରୁ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି ଏବଂ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଏହି ସ୍ୱଳ୍ପ ଜାଗାରେ ଦୁଇ ଦୁଇଟି ଅନୁଷ୍ଠାନ ଚାଲୁଥିବାରୁ ବିଦ୍ୟାଳୟ ପରିବେଶ ସଫା ସୁତୁରା ରଖିବା କଷ୍ଟକର ହେଉଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟ ପକ୍ଷରେ ବିଦ୍ୟାଳୟ ଅଫିସ ଗୃହକୁ ଅଙ୍ଗନବାଡି କେନ୍ଦ୍ର ମାଡ଼ି ବସିଥିବା ବେଳେ ଦୈନନ୍ଦିନ ଅଫିସ କାର୍ଯ୍ୟ ତୁଲାଇବାରେ ବହୁ ଅସୁବିଧା ହେଉଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ମିଶ୍ର କ୍ଷୋଭର ସହ କହିଛନ୍ତି। ତେବେ ଦୀର୍ଘ ଏକ ବର୍ଷ ତଳୁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ସରିଥିବା ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କଣପାଇଁ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଯଦି ଏକ ମାସ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ସ୍ଥାନାନ୍ତରିତ ନହୁଏ ତେବେ ବିଦ୍ୟାଳୟର ଅଭିଭାବକ ମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।
