ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ଆମ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍‌ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି।

୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଜାମୁସାହି ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନ୍‌ର ନିର୍ମାଣ ତଥା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଭାୟାଡକ୍ଟ ସେତୁ ତଳେ ବନ୍ୟପ୍ରାଣୀ ଚଳାଚଳ କରିବା ସହ ଏହାର ମଧ୍ୟରେ ବୃତଙ୍ଗ ପ୍ରକଳ୍ପ ରହିଥିବାରୁ ଏହାକୁ ଆଖି ଆଗରେ ରଖି  ନିର୍ମାଣ କରାଯାଉଛି।

ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ଟନେଲ ରହିଛି ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଲାଇନ୍‌ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନ ରହିଛି।

Related posts