ରଣପୁର,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିରରେ ମହାକାର୍ତ୍ତିକର ବଡଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବାରାତ୍ର ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ଷୋହଳ କଳା ବିଦ୍ୟମାନ ଥିବାବେଳେ ରଣପୁର ରେ ଏକକଳା ଥିବା ହେତୁ ଯେଉଁମାନେ ବଡ ଏକାଦଶୀରେ ଶ୍ରୀକ୍ଷେତ୍ରକୁ ଯାଇପାରୁନାହାନ୍ତି ସେମାନେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁଙ୍କ ଦର୍ଶନ କରି ସେହି ପୂଣ୍ୟ ଲାଭ କରୁଥିବାର କିମ୍ବଦନ୍ତୀ ରହିଥିବାରୁ ରବିବାର ଦିନତମାମ ରଣପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ମାତ୍ରାରେ ଭିଡ ଲାଗିଥିଲା। ସମଗ୍ର ରଣପୁର ଅଞ୍ଚଳ ସହ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଥିଲା। ଶନିବାର ରାତ୍ରରୁ ରବିବାର ଦିବାରାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରେକୃଷ୍ଣ ହରେରାମ ନାମକୀର୍ତ୍ତନ ରେ ରଣପୁର ଅଞ୍ଚଳରେ ଏକ ଭାବମୟ ପରିବେଷ ସୃଷ୍ଟି ହୋଇଥିଲା। ଗୀତା ଭବନ ତରଫରୁ ଏହି ନାମକୀର୍ତ୍ତନ ସହ ଶାନ୍ତି ଶୃଙ୍ଖଳାରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ଜନସମାଗମ ହେତୁ ମନ୍ଦିର ସମ୍ମୁଖ ଓ ଆଖପାଖ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଲାଗିରହିଥିଲା। ଏହି ସମସ୍ୟାର ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ତରଫରୁ ସେଭଳି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ବଡ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ
