ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅପରାର୍ହ୍ନରେ ତହସିଲଦାର ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଣିଆ ବ୍ଲକରେ ଚଳିତବର୍ଷ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ, ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଯୋଗଦେଇଥିଲେ। କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ସେବାୟତମାନଙ୍କୁ ନେଇ ଶ୍ରୀ ଜୀଉଙ୍କ ରୀତିନୀତି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା। ରଥଯାତ୍ରା ସମୟରେ ରଥ ଟଣା ହେବନାହିଁ କି ଶ୍ରୀଜୀଉଙ୍କୁ ବାହାରକୁ ଅଣାଯିବ ନାହିଁ। ସର୍ବସାଧରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମନ୍ଦିର ସାମ୍ନା ଗେଟ ସମ୍ପୂର୍ଣ୍ଣ ବନ୍ଦ କରି ଯାତ୍ରା ସମୟର ସମସ୍ତ ନୀତିକାନ୍ତି ପାଳନ କରାଯିବ।
ବିନା ଭକ୍ତରେ କେବଳ ପାରମ୍ପରିକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ। ସୂଚନାଥାଉକି ଗଣିଆ ଜଗନ୍ନାଥ ମନ୍ଦିର ତରଫରୁ ଉପେନ୍ଦ୍ର କୁମାର ସାହୁ, ବେଲପଡା ପାଟଣା ଜଗନ୍ନାଥମନ୍ଦିର ତରଫରୁ ରବିନାରାୟଣ ମହାପାତ୍ର, ବେଠିଆସାହି ଜଗନ୍ନାଥ ମନ୍ଦିର ତରଫରୁ ହୃଷିକେଶ ତରେଇ ଓ ଜଗନ୍ନାଥ ପ୍ରସାଦ ଜଗନ୍ନାଥମନ୍ଦିର ତରଫରୁ କୈଳାଶ ମିଶ୍ରଙ୍କ ସମେତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ମନ୍ଦିର ପରିଚାଳନା କମିଟି ସମ୍ପାଦକମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। ପରିଶେଷରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ତହସିଲଦାର ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ।

