ନୟାଗଡ଼ରେ ବନ୍ଦ ପାଳନ ସଫଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶୌମ୍ୟାଶ୍ରୀ ମୃତ୍ୟୁର ପ୍ରତିବାଦରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ଆହ୍ଵାନରେ ସଂଗଠିତ ବନ୍ଦ ଆନ୍ଦୋଳନକୁ ଜନସାଧାରଣଙ୍କ ସ୍ଵତଃସ୍ପୃତ ସମର୍ଥନ ହେତୁ ବନ୍ଦ ସଫଳ ହୋଇପାରିଛି। ଦଳୀୟ କର୍ମୀମାନେ ସକାଳୁ ସକାଳୁ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେଇ ପିକେଟିଙ୍ଗ୍ କରିଥିଲେ ଏବଂ ନାରାବାଜି କରି ଛକକୁ ଅବରୋଧ କରିଥିଲେ। ଦୋକାନ ବଜାର, ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଳକ ଅଫିସ, ବୀମା, ବ୍ୟାଙ୍କ, ସ୍କୁଲ, କଲେଜ ଆଗରେ ପିକେଟିଙ୍ଗ୍ କରି କାର୍ଯ୍ୟ ବନ୍ଦ କରାଇଥିଲେ। ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା ଜଜକୋର୍ଟ ଠାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୂ  କାର୍ଯ୍ୟରୁ ନିବର୍ତ୍ତାଇ ଥିଲେ ଓ ବସ୍ତୁତଃ କୋର୍ଟ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିକ୍ଷୋଭକାରୀ ମାନେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଲେଇ ଛକଠାରେ ସଭାକରି ସୌମ୍ୟାଶ୍ରୀ ଅସ୍ବାଭାବିକ ମୃତ୍ୟର ବିଚାର ବିଭାଗୀୟ ତଦନ୍ତ ଜଣେ କର୍ମରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରି ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା , ଉଚ୍ଚ ଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା,  ସଂପୃକ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବା ପ୍ରଭୃତି ଦାବି ଉପରେ ନେତା ମାନେ ମତବ୍ୟକ୍ତ କରିଥିଲେ। ଜାତୀୟ କଂଗ୍ରେସର ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ, ଅନ୍ୟତମ ନେତା ରଣଜିତ ଦାଶ, ମନୋଜ କୁମାର ସାହୁ, କମଳକୁମାର ସାହୁ, ହୁସେନ ଖାଁ, ସିପିଆଇ ନେତା ଅମୀୟ ପଟ୍ଟନାୟକ, ସିପିଆଇ ଏମ୍ ନେତା ପବିତ୍ର ଇନ୍ଦ୍ରଜିତ, ସରୋଜ ନାୟକ, ବୁଦ୍ଧି ନାୟକ, କୁଳମଣି ପୃଷ୍ଟି, ସିପିଏମ ଏଲ୍ ନେତା ଗୋପିନାଥ ଜେନା ପ୍ରମୁଖ ବିକ୍ଷୋଭ ସଭାରେ ମୋହନ ସରକାରର ବିଫଳତାକୁ କଟୁ ସମାଲୋଚନା କରିଥିଲେ। ପୋଲିସ ୨୦ଜଣ ସତ୍ୟାଗ୍ରହୀଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇ ଥିଲେ।

Related posts