ବେଫିକର ଠିକାସଂସ୍ଥା, ନିମ୍ନମାନର ରାସ୍ତା କାମକୁ ନେଇ ତେଜିଲା ଜନ ଅସନ୍ତୋଷ

ରାଜସୁନାଖଳା, (ନୟାଗଡ଼ ଦର୍ପଣ):- ବିଗତ ଦିନରେ ଅତି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ, ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ଏବଂ ଅଞ୍ଚଳବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ଠିକା ସଂସ୍ଥାର ବେଫିକର ମନୋଭାବକୁ ନେଇ ତେଜିଲା ଜନ ଅସନ୍ତୋଷ। ଏ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଠିକାସଂସ୍ଥା ପ୍ରତି ପ୍ରଶାସନର ନୀରବତାକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ। ପ୍ରକାଶ ଥାଉକି, ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଜାତୀୟ ରାଜପଥ ନିର୍ମାଣ ପ୍ରାଧିକରଣ ବିଭାଗ ତରଫରୁ ଠିକାସଂସ୍ଥା ଏ.ଆର.ଏସ.ଏସ. ଦ୍ୱାରା ଚାଲୁଅଛି। ମାତ୍ର ସମୟ ଅବଧି ଶେଷ ହୋଇସାରିଥିବା ପରେ ବି ଦୀର୍ଘଦିନ ଧରି ରାଜସୁନାଖଳା ଗଣେଶ ବଜାର ଠାରୁ ହଡ଼ାନଈ ପର୍ଯ୍ୟନ୍ତ ମାତ୍ର ଦେଢ଼ କିଲୋମିଟର ରାସ୍ତାନିର୍ମାଣ କାର୍ଯ୍ୟକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣାଙ୍ଗ ହୋଇପାରିନି। ଏପରିକି ଯେତିକି ରାସ୍ତା ନିର୍ମାଣ କରାଯାଇଛି ଉକ୍ତ ରାସ୍ତାରେ ପିଚୁ ଢଳେଇ ହେବାବେଳେ ପିଚୁର ତାପମାତ୍ରା ୧୦୦° ସେଲ୍ସିଅସ ରହିବା ନିୟମ ଥିବାବେଳେ ମାତ୍ର ୫୦° ସେଲସିୟସରୁ କମ ତାପମାତ୍ରାରେ ଢଳାଇ କରାଯାଇଛି। ସବୁଠାରୁ ସାଂଘାତିକ କଥାହେଲା ଉକ୍ତ ପିଚୁ ଢଳେଇ କାମ ବର୍ଷା ହେଉଥିବା ସମୟରେ ଏବଂ ଦିନରେ କରା ନଯାଇ ରାତିରେ କରାହୋଇଥିବାର ଅଭିଯୋଗ ଆସିଛି। ପୁନଶ୍ଚ ନିର୍ମାଣାଧୀନ ଡ୍ରେନ ନିମ୍ନମାନର ଛଡ଼ ପୁଣି କମ ପରିମାଣରେ ବ୍ୟବହାର କରାଯାଇଥିବାର ସାଂଘାତିକ ଅଭିଯୋଗ ଆସିଛି।

ଯାହା ଫଳରେ ବିଭିନ୍ନ ସ୍ଥାନରେ ଡ୍ରେନ ଫାଟି ଆଁ କଲାଣି।, ନିର୍ମାଣ କାର୍ଯ୍ୟର ସମୟ ଅବଧି ସରିଯାଇଥବା ସହିତ, ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ବିଭିନ୍ନ ସମୟରେ ବଜାରବାସୀ ଅଭିଯୋଗ ଉଠାଇଥିଲେ ମଧ୍ୟ ପ୍ରଶାସନର ନୀରବତା ଯୋଗୁଁ ଠିକାସଂସ୍ଥାର ମନମାନି ବଢିଚାଲିଛି ବୋଲି ବଜାରବାସୀ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶକରି କହିଛନ୍ତି। ଏପରିକି ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ, ଠିକାସଂସ୍ଥା ଏବଂ ପ୍ରଶାସନ ଭିତରେ ଭିତିରି ବୁଝାମଣା ରହିଥିବାର ଖବର ମଧ୍ୟ ଉଠିଛି। ବଜାରଟି ଉଭୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେନ୍ଦ୍ର ସ୍ଥଳରେ ରହିବା ସହ ବ୍ୟସ୍ତ ବହୁଳ ହୋଇଥିବାରୁ ରାସ୍ତା ପାଇଁ ଯେତିକି ସ୍ଥାନ ଅଧିଗ୍ରହଣ ହେବା କଥା ତାହା ହୋଇନାହିଁ ବୋଲି ଗୁରୁତର ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ। ସୂଚନାଯୋଗ୍ୟ ଯେ ବିଗତ ଦିନରେ, ନିର୍ମାଣାଧୀନ ରାସ୍ତାରେ ପାଣି ସିଞ୍ଚନ ନ କରିବା, ପୋଲ ନିର୍ମାଣ ସ୍ଥାନରେ ସୁରକ୍ଷା ବାଡ଼ ନ ରଖିବା, ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା, ଏବଂ ନିମ୍ନମାନ ର ନିର୍ମାଣ କାର୍ଯ୍ୟ ଇତ୍ୟାଦି କାରଣ ଯୋଗୁଁ ନିୟମିତ ଛୋଟ ବଡ଼ ବହୁ ଦୁର୍ଘଟଣା ଘଟିବା ଭଳି ବହୁ ସାଂଘାତିକ ସମସ୍ୟା ଅଞ୍ଚଳ ବାସୀ ବାରମ୍ବାର ଭୋଗିଚାଲିଥିବା ବେଳେ ଠିକାସଂସ୍ଥାର ବେଫିକର ମନମାନି କାହା ଇଙ୍ଗିତରେ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ବଜାରବାସୀ। ଏ ନେଇ ବିଭାଗୀୟ ଯନ୍ତ୍ରୀ, ଠିକାସଂସ୍ଥା ପରିଚାଳକଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୋୖଣସି ସୁଫଳ ନ ମିଳିବାରୁ ବିଗତ ଦିନରେ ବଜାରବାସୀଙ୍କ ତରଫରୁ ରାଜସୁନାଖଳା କୁମାରୀ ଛକ ଠାରେ ଗତ ଫେବୃୟାରୀ ମାସରେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା।ଏହି ସମୟରେ ଏକମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଠିକାସଂସ୍ଥା ପକ୍ଷରୁରୁ ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା। ମାତ୍ର ଏଥିମଧ୍ୟରେ ଚାରିମାସ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନି। ଅନ୍ୟ ପଟେ ରାସ୍ତାର ଉଭୟ ପାର୍ଶ୍ଵରେ ନିର୍ମାଣ କରାଯାଉଥିବା ଡ୍ରେନ ଅତ୍ୟନ୍ତ ନିମ୍ନମାନର ହୋଇଥିବା କାରଣରୁ ସେଥିରେ ବଡ଼ ବଡ଼ ଫାଟ ସୃଷ୍ଟି ହେଲାଣି।ଏପରିକି ନିର୍ମାଣକୁ ଚାରିମାସ ନ ପୂରି ମଧ୍ୟ କାମ ସରିଥିବା ରାସ୍ତା ଉପରୁ ପିଚୁ ଉଠିବାକୁ ବି ବସିଲାଣି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ।ତେବେ ରାଜସୁନାଖଳା ଦେଇ ଯାଇଥିବା ଏହି ରାସ୍ତା ଟି ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ରାଜସୁନାଖଳା ଅଞ୍ଚଳଟି ଉଭୟ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାରୁ ବହୁ ସଂଖ୍ୟାକ ବ୍ୟବସାୟୀ, ଯାତ୍ରୀଙ୍କ ସମାବେଶ ହୋଇଥାଏ। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିମ୍ନମାନର କାର୍ଯ୍ୟକୁ ହଟାଇ ଉପଯୁକ୍ତ ପୁନଃନିର୍ମାଣ କାର୍ଯ୍ୟ କରିବାପାଇଁ ବଜାରବାସୀଙ୍କ ତରଫରୁ ଦାବୀ କରାଯାଇଛି। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ବଜାରବାସୀ ଚେତାବନୀ ଦେଇଛନ୍ତି।

ପ୍ରଦୀପ କୁମାର ରଣା
ରାଜସୁନାଖଳା ପ୍ରତିନିଧି, ମୋ-୯୯୩୮୬୮୮୪୩୨

Related posts